
ଜବଲପୁର, ୨୪ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଅବସ୍ଥିତ ମାର୍ବଲ ପଥରର ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭେଡ଼ାଘାଟରେ ଶନିବାରଠାରୁ ଦୁଇଦିନିଆ ନର୍ମଦା ମହୋତ୍ସବର ଭବ୍ୟ ଶୁଭାରମ୍ଭ ହେବାକୁ ଯାଉଛି। ଶରତ ପୂର୍ଣ୍ଣିମା ଅବସରରେ ଆୟୋଜିତ ଏହି ଦୁଇଦିନିଆ ଉତ୍ସବରେ ଭଜନର ସୁମଧୁର ଧାରା ପ୍ରବାହିତ ହେବା ସହ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପରିବେଷଣ କରାଯିବ।
ଜବଲପୁର ପୁରାତତ୍ତ୍ୱ, ପର୍ଯ୍ୟଟନ ଓ ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଜବଲପୁର ନଗର ନିଗମ, ଭେଡ଼ାଘାଟ ନଗର ପରିଷଦ ଏବଂ ଜବଲପୁର ବିକାଶ ପ୍ରାଧିକରଣର ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି ମହୋତ୍ସବର ୨୩ତମ ସଂସ୍କରଣ ଅନୁଷ୍ଠିତ ହେଉଛି। ପୂର୍ବ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଧୁଆଁଧାର ଜଳପ୍ରପାତ ନିକଟସ୍ଥ ମୁକ୍ତାକାଶ ମଞ୍ଚରେ ନର୍ମଦା ମହୋତ୍ସବ ଆୟୋଜନ କରାଯିବ।
ଜବଲପୁର ପୁରାତତ୍ତ୍ୱ, ପର୍ଯ୍ୟଟନ ଓ ସଂସ୍କୃତି ପରିଷଦ (ଜେଏଟିସିସି)ର ସିଇଓ ମାନବେନ୍ଦ୍ର ସିଂହ କହିଛନ୍ତି ଯେ, ମହୋତ୍ସବର ପ୍ରଥମ ଦିନ ଅକ୍ଟୋବର ୨୪ ତାରିଖର ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ହେବେ ‘ହନୁମାନ ଅଂଶ’ ଚଳଚ୍ଚିତ୍ରର ପ୍ରସିଦ୍ଧ ଭଜନ ‘ମୈନେ ତେରେ ହି ଭରୋସେ’ର ଗାୟକ ସୁନୀଲ ଲୋଧୀ ଏବଂ ମୁମ୍ବାଇର ସୁଫି ଗାୟିକା ଜସପିନ୍ଦର ନରୁଲା।
ସେହିପରି, ଦ୍ୱିତୀୟ ଦିନ ଅକ୍ଟୋବର ୨୫ ତାରିଖର ସାଂସ୍କୃତିକ ସନ୍ଧ୍ୟାରେ ‘ଇଣ୍ଡିଆନ୍ ଆଇଡଲ୍’ ଖ୍ୟାତିସମ୍ପନ୍ନ ମୁମ୍ବାଇର ଗାୟିକା ଅରୁଣିତା କାଞ୍ଜିଲାଲ ଏବଂ ମୁମ୍ବାଇର ପ୍ରଚ୍ଛଦପଟ ଗାୟିକା ରିଚା ଶର୍ମା ନିଜର ସୁମଧୁର ଓ ଗମ୍ଭୀର ସ୍ୱରରେ ଭକ୍ତିରସର ଧାରା ପ୍ରବାହିତ କରିବେ।
ମାନବେନ୍ଦ୍ର ସିଂହଙ୍କ ସୂଚନା ଅନୁଯାୟୀ, ଦୁଇଦିନିଆ ନର୍ମଦା ମହୋତ୍ସବର ଶୁଭାରମ୍ଭ ଶନିବାର ସନ୍ଧ୍ୟା ୭ଟାରେ ମା’ ନର୍ମଦାଙ୍କ ପୂଜାର୍ଚ୍ଚନା ସହ ହେବ। ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଧର୍ମେନ୍ଦ୍ର ସିଂହ ଲୋଧୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସାଂସଦ ଆଶିଷ ଦୁବେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ।
ଏହାବ୍ୟତୀତ ରାଜ୍ୟସଭା ସଦସ୍ୟ ବିବେକ କୃଷ୍ଣ ତନଖା, ବିଧାୟକ ଅଜୟ ବିଶ୍ନୋଇ, ନୀରଜ ସିଂହ, ଲଖନ ଘନଘୋରିଆ, ସୁଶୀଲ ତିୱାରୀ ଇନ୍ଦୁ ଏବଂ ସନ୍ତୋଷ ବରକଡ଼େଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷା ଆଶା ଗୋଣ୍ଟିଆଙ୍କୁ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା