ଡିଜେଲ ମୂଲ୍ୟ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ବିବୃତ୍ତି ସମ୍ପୂର୍ଣ୍ଣ ମିଥ୍ୟା: ଜେଲେନସ୍କି
କିଭ୍/ୱାଶିଂଟନ୍, ୨୪ ଅକ୍ଟୋବର (ହି.ସ.)। ୟୁକ୍ରେନ୍ର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସ୍କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତୀବ୍ର ଆକ୍ରମଣ କରି ତାଙ୍କ ବୟାନକୁ ‘ସମ୍ପୂର୍ଣ୍ଣ ମିଥ୍ୟା’ ବୋଲି କହିଛନ୍ତି। ଆମେରିକାରେ ଡିଜେଲ୍ର ବଢ଼ୁଥିବା ଦର ପାଇଁ ରୁଷ୍ର ତୈଳ ବିଶୋଧନାଗାର ଉପରେ ୟୁ
यूक्रेन के राष्ट्रपति वलोडिमिर जेलेंस्की - अमेरिकी राष्ट्रपति डोनाल्ड ट्रम्प  (फाइल फाेटाे)


କିଭ୍/ୱାଶିଂଟନ୍, ୨୪ ଅକ୍ଟୋବର (ହି.ସ.)। ୟୁକ୍ରେନ୍ର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସ୍କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତୀବ୍ର ଆକ୍ରମଣ କରି ତାଙ୍କ ବୟାନକୁ ‘ସମ୍ପୂର୍ଣ୍ଣ ମିଥ୍ୟା’ ବୋଲି କହିଛନ୍ତି। ଆମେରିକାରେ ଡିଜେଲ୍ର ବଢ଼ୁଥିବା ଦର ପାଇଁ ରୁଷ୍ର ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ର ଆକ୍ରମଣକୁ ଦାୟୀ କରି ଟ୍ରମ୍ପ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଥିବା ଜେଲେନ୍ସ୍କି ଅଭିଯୋଗ କରିଛନ୍ତି। ତାଙ୍କ ମତରେ, ବିଶ୍ୱ ଶକ୍ତି ସଙ୍କଟର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ଇରାନ୍ ସହ ଜଡ଼ିତ ସଂଘର୍ଷ ଏବଂ ହର୍ମୁଜ୍ ପ୍ରଣାଳୀରେ ସାମୁଦ୍ରିକ ଯାତାୟାତ ବାଧାପ୍ରାପ୍ତ ହେବା ଅନ୍ୟତମ।

ରୁଷ୍ର ଶକ୍ତି ଭିତ୍ତିଭୂମି ଉପରେ ୟୁକ୍ରେନ୍ର ଆକ୍ରମଣ ଏବଂ ବିଶ୍ୱସ୍ତରରେ ଇନ୍ଧନ ଯୋଗାଣକୁ ନେଇ ୱାଶିଂଟନ୍ ଓ କିଭ୍ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ସମୟରେ ଜେଲେନ୍ସ୍କି ଏହି ବୟାନ ଦେଇଛନ୍ତି।

ରୁଷ୍ର ଅନ୍ତର୍ଜାତୀୟ ସମାଚାର ଟେଲିଭିଜନ୍ ନେଟୱର୍କ ‘ରୁଷିଆ ଟୁଡେ’ (ଆର୍ଟି) ଅନୁଯାୟୀ, ଷ୍ଟିଭେନ୍ ବାର୍ଟଲେଟ୍ଙ୍କ ପଡ୍କାଷ୍ଟ ‘ଦି ଡାଏରୀ ଅଫ୍ ଏ ସିଇଓ’ରେ ଆଲୋଚନା ସମୟରେ ଜେଲେନ୍ସ୍କି କହିଛନ୍ତି ଯେ, ରୁଷ୍ରୁ ଡିଜେଲ୍ ରପ୍ତାନି ଆମେରିକାରେ ଇନ୍ଧନ ଦର ଉପରେ ସିଧାସଳଖ କେତେ ପ୍ରଭାବ ପକାଏ, ତାହା ସୀମିତ। ସେ ଟ୍ରମ୍ପଙ୍କ ଦାବିକୁ ଭୁଲ୍ ସୂଚନା ବୋଲି ଅଭିହିତ କରିଛନ୍ତି।

ଏଥିସହ ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଆମେରିକାର ରାଷ୍ଟ୍ରପତି ଶକ୍ତି ଓ ଇନ୍ଧନର ଦରକୁ ନେଇ ଏତେ ଚିନ୍ତିତ, ତେବେ ଆମେରିକୀୟ କମ୍ପାନୀଗୁଡ଼ିକ ଅନ୍ୟ ଦେଶକୁ ଶକ୍ତି ସମ୍ବଳ ରପ୍ତାନି ଜାରି ରଖିଛନ୍ତି କାହିଁକି? ଘରୋଇ କ୍ଷେତ୍ରର ରପ୍ତାନି ଉପରେ କଟକଣା ଲଗାଇବା ପ୍ରସଙ୍ଗ ମଧ୍ୟ ଏହି ବିତର୍କ ସହ ଜଡ଼ିତ ବୋଲି ସେ କହିଛନ୍ତି।

ଜେଲେନ୍ସ୍କି ଟ୍ରମ୍ପଙ୍କ ଉପରେ ଇରାନ୍ ସହ ଜଡ଼ିତ ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ୟୁକ୍ରେନ୍କୁ ଟାର୍ଗେଟ୍ କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକ ସମସ୍ୟା ପାଇଁ ୟୁକ୍ରେନ୍କୁ ଦୋଷ ଦିଆଯାଉଛି ଏବଂ ଦେଶର ନେତା ଭାବେ ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande