
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ଗତ ଦୁଇବର୍ଷ ଧରି ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକଙ୍କୁ ପୁରସ୍କୃତ କରିଆସୁଥିବା ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ମାସ ୧୪ ତାରିଖକୁ ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରାଯାଇଛି ।
ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ଆଜି ସ୍ଥାନୀୟ ରେଡ଼କ୍ରସ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ଉନ୍ନତ ଦେଶଗୁଡ଼ିକରେ ପ୍ରୁଫ୍-ସଂଶୋଧନକୁ ପ୍ରକାଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ରୂପେ ବିବେଚନା କରାଯାଇ ତାହା ଉପରେ ପ୍ରାଧାନ୍ୟ ଦିଆଯାଇଥାଏ । ମାତ୍ର ଆମ ଦେଶରେ, ବିଶେଷତଃ ଓଡ଼ିଶାରେ ପ୍ରୁଫ୍-ସଂଶୋଧନକୁ ଅଣଦେଖା କରାଯାଉଥିବାରୁ ପ୍ରକାଶନ କ୍ଷେତ୍ରରେ ଗୁରୁତର ସଂକଟ ପରିଲକ୍ଷିତ ହେଉଛି । ସଂପ୍ରତି ଆମ ରାଜ୍ୟରେ ଠିକ୍ ଭାବେ ପ୍ରୁଫ୍-ସଂଶୋଧନ ହେଉନଥିବାରୁ ପ୍ରକାଶିତ ପାଠ୍ୟପୁସ୍ତକ ସମେତ ସକଳ ପ୍ରକାର ପୁସ୍ତକରେ ବହୁସଂଖ୍ୟକ ତ୍ରୁଟି ପରିଲକ୍ଷିତ ହୋଇଥିବା ଶ୍ରୀ ମହାନ୍ତ ଉଲ୍ଲେଖ କରିଥିଲେ ।
ସେ ପୁଣି ଦର୍ଶାଇଥିଲେ ଯେ, ଗୋପାଳକୃଷ୍ଣ ଗୋଖଲେଙ୍କ ଶିକ୍ଷା ସମ୍ବନ୍ଧୀୟ ଲେଖାଗୁଡ଼ିକର ଗୁଜୁରାଟି ଭାଷାରେ ଅନୁବାଦକୁ ଛପାଯାଇ ମହାତ୍ମା ଗାନ୍ଧିଙ୍କ ପାଖକୁ ମୁଖବନ୍ଧ ଲେଖିବା ପାଇଁ ପଠାଯାଇଥିଲା । ମାତ୍ର ଯଥାବିଧି ପ୍ରୁଫ୍-ସଂଶୋଧନ ହୋଇନଥିବାରୁ ତହିଁରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହା ଗାନ୍ଧିଜୀଙ୍କୁ ବ୍ୟଥିତ କରିଥିଲା ଏବଂ ସେ ତ୍ରୁଟିପୂର୍ଣ୍ଣ ଛପା ଫର୍ଦ୍ଦଗୁଡ଼ିକୁ ଜାଳିଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରୀ ମହାନ୍ତ କହିଥିଲେ ଯେ, ସମାଜ ଆଗରେ ପ୍ରୁଫ୍-ସଂଶୋଧନର ଗୁରୁତ୍ୱକୁ ଉପସ୍ଥାପନ କରିବା ନିମିତ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ ରୂପେ ପାଳନ କରାଯାଇଥାଏ । ମାତ୍ର ଆମ ଦେଶରେ ପ୍ରୁଫ୍-ସଂଶୋଧନକୁ ଗୌଣ ବିବେଚନା କରାଯାଉଥିବାରୁ ଭାରତୀୟ ଭାଷାସମୂହରେ ଲିଖିତ ପୁସ୍ତକ ଆଦିରେ ବର୍ଣ୍ଣାଶୁଦ୍ଧି ଭରିଯାଉଛି । ପ୍ରୁଫ୍-ସଂଶୋଧନ ଉପରେ ଗୁରୁତ୍ୱ ଦେଲେ ଲେଖାରେ ଶୁଦ୍ଧତା ଆସିବ ଏବଂ ଆମର ଭାଷା ସଂକଟରୁ ମୁକ୍ତ ହୋଇପାରିବ । ତେଣୁ ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ତରଫରୁ ପ୍ରତିବର୍ଷ ଡିସେମ୍ବର ମାସ ୧୪ ତାରିଖକୁ ଜାତୀୟ ପ୍ରୁଫ୍-ସଂଶୋଧନ ଦିବସ ଭାବେ ପାଳନ କରିବା ଲାଗି ଲେଖକ, ପ୍ରକାଶକ, ସାମ୍ବାଦିକ, ପୁସ୍ତକପ୍ରେମୀମାନଙ୍କୁ ନିବେଦନ କରାଯାଇଛି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପଟ୍ଟନାୟକ, ବରିଷ୍ଠ ଦର୍ଶନଶାସ୍ତ୍ରବିତ୍ ଡକ୍ଟର ନାରାୟଣ ମହାନ୍ତି, ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପବିତ୍ର କୁମାର ରଥ ଓ ବ୍ୟଙ୍ଗଲେଖକ ତଥା ସ୍ତମ୍ଭକାର ରାଧାଶ୍ୟାମ ରାଉଳ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ