
ଭୁବନେଶ୍ୱର, ଅକ୍ଟୋବର ୨୬(ହି.ସ) ମହିଳାଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲୁଥିବା ଜଣେ
ପ୍ରଶାସକ ଏବଂ ସେହି ସୁଯୋଗକୁ ଆପଣାଇ ଆଗକୁ ବଢ଼ିବାର ସାହସ ଦେଖାଇଥିବା ଜଣେ ମହିଳା। ଗୃହ ଓ ନଗର
ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ କେନ୍ଦୁଝର ଜିଲ୍ଲାର
ସୁଭଲକ୍ଷ୍ମୀ ମହାନନ୍ଦଙ୍କ ମଧ୍ୟରେ ସାକ୍ଷାତ କେବଳ ଏକ ଫଟୋଚିତ୍ରରେ ସୀମିତ ନୁହେଁ; ଏହା ଓଡ଼ିଶାର ପରିବହନ କ୍ଷେତ୍ରରେ ମହିଳା ସଶକ୍ତୀକରଣ ଓ
ପରିବର୍ତ୍ତନର ଏକ ପ୍ରେରଣାଦାୟକ ଚିତ୍ର।
ଓଡ଼ିଶାର ପ୍ରଥମ ମହିଳା
ଇଲେକ୍ଟ୍ରିକ୍ ବସ୍ ଚାଳିକା ଭାବେ ପରିଚିତ ସୁଭଲକ୍ଷ୍ମୀଙ୍କ ଯାତ୍ରା ପ୍ରତିଷ୍ଠାନଗତ ସଂକଳ୍ପ ଓ
ବ୍ୟକ୍ତିଗତ ସାହସର ଏକ ଉତ୍କୃଷ୍ଟ ଉଦାହରଣ । ଉପଯୁକ୍ତ ନୀତି, ପ୍ରଶିକ୍ଷଣ ଓ ନିରନ୍ତର ସହଯୋଗ ମାଧ୍ୟମରେ ମହିଳାମାନେ କିପରି
ପାରମ୍ପରିକ ଧାରଣାକୁ ଅତିକ୍ରମ କରି ନୂଆ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରନ୍ତି, ତାହା ତାଙ୍କ ଅଭିଜ୍ଞତାରୁ ସ୍ପଷ୍ଟ ହୁଏ ।
ଭୁବନେଶ୍ୱରରେ ଆୟୋଜିତ
୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ
ପ୍ରଦର୍ଶନୀ ଏବଂ ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀର ପରିପ୍ରେକ୍ଷୀରେ ଏହି ସାକ୍ଷାତର ବିଶେଷ
ଗୁରୁତ୍ୱ ରହିଛି। ପୂର୍ବ ଭାରତରେ ପ୍ରଥମ ଥର ପାଇଁ ୟୁଏମ୍ଆଇ ଆୟୋଜନ କରି ଓଡ଼ିଶା ସୁଗମ ପରିବହନ, ସମାବେଶୀ ବିକାଶ ଓ ବାସଯୋଗ୍ୟ ସହର ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ
ଜାତୀୟ ସ୍ତରରେ ପ୍ରଦର୍ଶନ କରିଛି ।
କେନ୍ଦୁଝରରୁ ଆସି ‘ଆମ ବସ୍’ର ଚାଳକ ଆସନରେ ବସିବା ପର୍ଯ୍ୟନ୍ତ ସୁଭଲକ୍ଷ୍ମୀଙ୍କ ଯାତ୍ରା ଅନେକ
ଯୁବତୀଙ୍କ ପାଇଁ ପ୍ରେରଣା । ଯେଉଁ ବୃତ୍ତି ଏକଦା ମହିଳାଙ୍କ ପାଇଁ ଅସାଧାରଣ ବୋଲି ବିବେଚିତ
ହେଉଥିଲା,
ଆଜି ତାହା ଏକ ସମ୍ଭାବ୍ୟ କ୍ୟାରିୟର ଭାବେ ଉଭା ହେଉଛି । ତାଙ୍କର
ପ୍ରତ୍ୟେକ ଯାତ୍ରା ଏହି ବାର୍ତ୍ତା ଦେଉଛି ଯେ ମହିଳାମାନେ ସାର୍ବଜନୀନ ପରିବହନ ଭଳି
ଗୁରୁତ୍ୱପୂର୍ଣ୍ଣ ସେବା କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେବା ସହ ନିଜର ଦକ୍ଷତା ପ୍ରମାଣ କରିପାରିବେ
।
ଏହି ପରିବର୍ତ୍ତନ ପଛରେ
ବାଣିଜ୍ୟ ଓ ପରିବହନ ବିଭାଗ, ପରିବହନ ଆୟୁକ୍ତ ଏବଂ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକଙ୍କ ସମନ୍ୱିତ ଉଦ୍ୟମ ରହିଛି ।
ନୀତି ପ୍ରଣୟନ, ପ୍ରଶିକ୍ଷଣ, ଜୀବିକାର ସୁଯୋଗ ଓ ପରିବହନ ସେବାର ପରିଚାଳନା ମାଧ୍ୟମରେ ମହିଳାଙ୍କ
ପାଇଁ ଏହି କ୍ଷେତ୍ରରେ ପ୍ରବେଶ ଓ ଏକ ସ୍ଥାୟୀ କ୍ୟାରିୟର ଗଢ଼ିବାର ଅନୁକୂଳ ପରିବେଶ ସୃଷ୍ଟି
କରାଯାଉଛି ।
ପରିବହନ କ୍ଷେତ୍ରରେ
ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ କ୍ରୁଟ୍
ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଭାରୀ ମୋଟର ଯାନ ଚାଳନା ଲାଇସେନ୍ସ ଥିବା ୨୦ ଜଣ
ମହିଳାଙ୍କୁ ଉନ୍ନତ ଇଲେକ୍ଟ୍ରିକ୍ ବସ୍ ଚାଳନା ପ୍ରଶିକ୍ଷଣ ପ୍ରଦାନ ଏହାର ଏକ ଉଲ୍ଲେଖନୀୟ
ପଦକ୍ଷେପ । ଚାଳିକା, କଣ୍ଡକ୍ଟର ଓ ଫିଡର୍ ସେବା କର୍ମଚାରୀ ଭାବେ କାର୍ଯ୍ୟରତ ମହିଳାମାନେ ସାର୍ବଜନୀନ ପରିବହନକୁ
ଅଧିକ ସମାବେଶୀ କରିବା ସହ ନିଜର ପେସାଦାରିତା ଓ ଦକ୍ଷତାର ପରିଚୟ ଦେଉଛନ୍ତି ।
ଏହି ଲକ୍ଷ୍ୟକୁ ଆହୁରି
ବ୍ୟାପକ କରିବା ପାଇଁ ‘ଆତ୍ମନିର୍ଭର ମହିଳା ସୁବାହକ’ ଯୋଜନାର ପରିକଳ୍ପନା କରାଯାଇଛି । ଏହା ମାଧ୍ୟମରେ ଓଡ଼ିଶାରେ
ମହିଳାଙ୍କ ନେତୃତ୍ୱରେ ୨,୪୫୦ଟି ପରିବହନ ଉଦ୍ୟୋଗ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଯାନ କ୍ରୟ ପାଇଁ ୧୦ ଲକ୍ଷ
ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ, ଇଲେକ୍ଟ୍ରିକ୍ ଯାନ କ୍ରୟ ନିମନ୍ତେ ଅତିରିକ୍ତ ୨ ଲକ୍ଷ ଟଙ୍କାର
ପ୍ରୋତ୍ସାହନ ଏବଂ ମାଗଣା ଚାଳନା ଓ ଉଦ୍ୟୋଗ ପରିଚାଳନା ପ୍ରଶିକ୍ଷଣ ସହ ଲାଇସେନ୍ସ ପାଇବାରେ
ସହାୟତା ଏହି ଯୋଜନାର ପ୍ରମୁଖ ବ୍ୟବସ୍ଥା । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଅନ୍ୟ ଯୋଗ୍ୟ
ମହିଳାଙ୍କୁ ପ୍ରାଥମିକତା ଦେବା ସହ ଯାତ୍ରୀ ପରିବହନ ଡିଜିଟାଲ୍ ପ୍ଲାଟଫର୍ମ ସହ ସଂଯୋଗ ମାଧ୍ୟମରେ
ମହିଳାଙ୍କ ଦକ୍ଷତା ଓ ଯାନ ମାଲିକାନାକୁ ଆୟବୃଦ୍ଧିର ସୁଯୋଗରେ ପରିଣତ କରିବା ଏହାର ଉଦ୍ଦେଶ୍ୟ ।
ଏହି ପଦକ୍ଷେପଗୁଡ଼ିକ
ଓଡ଼ିଶାର ସାର୍ବଜନୀନ ପରିବହନ ବ୍ୟବସ୍ଥାର ସମ୍ପ୍ରସାରଣ ସହ ସମାନ୍ତରାଳ ଭାବେ ଆଗକୁ ବଢ଼ୁଛି ।
କ୍ରୁଟ୍ ତାହାର ସେବା ଗୋଟିଏ ସହରରେ ସୀମିତ ପରିଚାଳନାରୁ ଆଜି ୧୩୮ଟି ରୁଟ୍ରେ ୭୭୦ଟି ବସ୍ର
ଏକ ବ୍ୟାପକ ନେଟୱର୍କରେ ପରିଣତ ହୋଇଛି । ଏହି ବସ୍ବାହିନୀର ୫୧ ପ୍ରତିଶତ ଇଲେକ୍ଟ୍ରିକ୍ ବସ୍ ।
ସେହିପରି ପ୍ରାୟ ୪୮ ପ୍ରତିଶତ ଟିକେଟ୍ କାରବାର ନଗଦବିହୀନ ପଦ୍ଧତିରେ ହେଉଛି, ଯାହା ଡିଜିଟାଲ୍ ପେମେଣ୍ଟ୍ ଓ ଆଧୁନିକ ଯାତ୍ରୀ ସେବାର ବଢ଼ୁଥିବା
ଗ୍ରହଣୀୟତାକୁ ପ୍ରତିଫଳିତ କରୁଛି ।
ୟୁ ଏମ୍ ଆଇ ୨୦୨୬ରେ
କ୍ରୁଟ୍ ପକ୍ଷରୁ ସ୍ଥାପିତ ପ୍ରଦର୍ଶନୀ ମଣ୍ଡପରେ ‘ଆମ ବସ୍’, ବିଦ୍ୟୁତ୍ ଚାଳିତ ପରିବହନ, ‘ଓଡ଼ିଶା ଯାତ୍ରୀ’, ସ୍ମାର୍ଟ ପରିବହନ ପରିଚାଳନା ବ୍ୟବସ୍ଥା, ଡିଜିଟାଲ୍ ଟିକେଟିଂ, ଯାତ୍ରୀ ସୁରକ୍ଷା ଓ ସୁଗମ ଯାତାୟାତ ସମ୍ପର୍କିତ ପଦକ୍ଷେପଗୁଡ଼ିକ
ପ୍ରଦର୍ଶିତ ହୋଇଥିଲା । ଏହା ସହିତ ସମ୍ମିଳନୀର ଯୋଜନା, ସମନ୍ୱୟ ଓ ଆୟୋଜନରେ କ୍ରୁଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ
କରି ଓଡ଼ିଶାର ପରିବହନ ଅଭିଜ୍ଞତାକୁ ଜାତୀୟ ସ୍ତରରେ ଉପସ୍ଥାପନ କରିପାରିଛି ।
‘ଡିଜିଟାଲ୍
ଯୁଗରେ ସହରାଞ୍ଚଳ ଗମନାଗମନର ସୁଗମତା ଓ ବାସଯୋଗ୍ୟତା’ ବିଷୟବସ୍ତୁକୁ ଆଧାର କରି
ସମ୍ମିଳନୀରେ ଏପରି ପରିବହନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା, ଯାହା ଲୋକଙ୍କୁ ନୂତନ ସୁଯୋଗ ସହ ଯୋଡ଼ିବା ସହ ସହରଗୁଡ଼ିକୁ ଅଧିକ
ସମାବେଶୀ,
ସୁଗମ ଓ ସ୍ଥାୟୀ କରିପାରିବ । ଏହି ସମ୍ମିଳନୀ ନାଗରିକଙ୍କୁ ସହର
ବିକାଶର କେନ୍ଦ୍ରରେ ରଖି ଭବିଷ୍ୟତ ପାଇଁ ପ୍ରସ୍ତୁତ ସହର ଗଠନର ଲକ୍ଷ୍ୟକୁ ଆହୁରି ସୁଦୃଢ଼
କରିଥିଲା ।
ଶ୍ରୀମତୀ ଉଷା ପାଢ଼ୀ ଓ
ସୁଭଲକ୍ଷ୍ମୀ ମହାନନ୍ଦଙ୍କ ଏହି ସାକ୍ଷାତ ଏହି ଦୃଷ୍ଟିକୋଣକୁ ଜୀବନ୍ତ ରୂପ ଦେଇଛି । ଜଣେ ମହିଳା
ଯେତେବେଳେ ବସ୍ର ଚାଳକ ଆସନରେ ବସନ୍ତି, ସେତେବେଳେ ତାଙ୍କ ପଛରେ ରହିଥାଏ ଏକ ସୃଷ୍ଟ ସୁଯୋଗ, ଅର୍ଜିତ ଦକ୍ଷତା, ପ୍ରତିଷ୍ଠାନଗତ ସହଯୋଗ ଓ ପ୍ରଥମ ପଦକ୍ଷେପ ନେବାର ସାହସ।
ସୁଭଲକ୍ଷ୍ମୀଙ୍କ ଯାତ୍ରା ଆଗାମୀ ଦିନରେ ଆହୁରି ଅନେକ ମହିଳାଙ୍କୁ ନିଜ ସ୍ୱପ୍ନ ପୂରଣ କରିବା ଏବଂ
ନୂଆ କ୍ଷେତ୍ରରେ ଆଗେଇ ଆସିବାକୁ ପ୍ରେରଣା ଦେବ ।
ଓଡ଼ିଶାର ଏହି ନୂଆ
ଯାତ୍ରାରେ ସଂକଳ୍ପ ସୁଯୋଗର ଦ୍ୱାର ଖୋଲୁଛି, ସାହସ ପରିବର୍ତ୍ତନକୁ ଗତି ଦେଉଛି ଏବଂ ନୂଆ ପିଢ଼ିର ଝିଅମାନେ
ଭବିଷ୍ୟତର ଚାଳକ ଆସନରେ ନିଜକୁ ଦେଖିବାକୁ ସ୍ୱପ୍ନ ଦେଖୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା