
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ଓଡ଼ିଶାରେ ସହରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ପୌର ସେବାକୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଫ୍ଲାଗ୍ସିପ୍ ପଦକ୍ଷେପ ‘ଅଙ୍କୁର’ର ସହଯୋଗୀ ସଂସ୍ଥାଗୁଡ଼ିକର ହ୍ୟାଣ୍ଡବୁକ୍ ଭୁବନେଶ୍ୱରରେ ଆୟୋଜିତ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍ ୨୦୨୬ ଅବସରରେ ଉନ୍ମୋଚିତ ହୋଇଛି।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ୨୮ ମେ ୨୦୨୫ରେ ଶୁଭାରମ୍ଭ କରାଯାଇଥିଲା। ଦକ୍ଷତା ବିକାଶ, ଜ୍ଞାନ ଓ ଗବେଷଣା, କାର୍ଯ୍ୟକାରୀ ସହାୟତା ଏବଂ ନବସୃଜନ—ଏହାର ଚାରିଟି ମୁଖ୍ୟ ସ୍ତମ୍ଭ।
ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଜନାଗ୍ରହ, ୟୁଏନ୍ -ହାବିଟାଟ୍, ଡବ୍ଲୁଆରଆଇ ଇଣ୍ଡିଆ ସମେତ ୧୧ଟି ସଂସ୍ଥା ସହଯୋଗ କରୁଛନ୍ତି। ସହରୀ ଯୋଜନା, ଡିଜିଟାଲ୍ ସେବା, ପୌର ଅର୍ଥନୀତି, ଜୀବିକା, ପରିମଳ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଏହି ସଂସ୍ଥାଗୁଡ଼ିକ ବୈଷୟିକ ସହାୟତା ଯୋଗାଉଛନ୍ତି।
‘ସୁଯୋଗ’ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ପୌର କର୍ମଚାରୀଙ୍କ ରିପୋର୍ଟ ପ୍ରସ୍ତୁତି ସମୟ ୪୮ ପ୍ରତିଶତ ହ୍ରାସ ପାଇଛି। ୨୦୨୬–୨୭ରେ ଏହାର ପରିସରକୁ ୧୧୫ରୁ ୧୪୦ଟି ପୌରାଂଚଳକୁ ବଢ଼ାଇବା ଲକ୍ଷ୍ୟ ରହିଛି।
ଲାଇଟ୍ ହାଉସ୍ ସେଂଟରଗୁଡ଼ିକରେ ୯,୭୦୩ ଜଣ ଯୁବକଯୁବତୀ ଦକ୍ଷତା ବିକାଶ ପାଠ୍ୟକ୍ରମରେ ନାମ ଲେଖାଇଥିବାବେଳେ ୪,୬୪୬ ଜଣ ନିଯୁକ୍ତି ପାଇଛନ୍ତି। ସେହିପରି ସହଯୋଗ ଓ ସହଯୋଗ ପ୍ଲସ୍ ମାଧ୍ୟମରେ ୬.୬୦ ଲକ୍ଷ ପରିବାର ପାଖରେ ପହଂଚିବା ସହ ୩.୨୫ ଲକ୍ଷରୁ ଅଧିକ କଲ୍ୟାଣକାରୀ ଯୋଜନା ଆବେଦନରେ ସହାୟତା କରାଯାଇଛି। ଏହାଦ୍ୱାରା ପ୍ରାୟ ୧୦,୦୦୦ କୋଟି ଟଙ୍କାର ସରକାରୀ ସୁବିଧା ପହଂଚାଇବାରେ ସହାୟତା ମିଳିଛି।
ଏହାବ୍ୟତୀତ ସମ୍ପତି କର ସଂସ୍କାର, ପରିମଳ କର୍ମଚାରୀଙ୍କ କଲ୍ୟାଣ, ଯୁବବର୍ଗଙ୍କ ଜୀବିକା ସୃଷ୍ଟି ଓ ବାୟୁ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ଲାଷ୍ଟିକ୍ ଓ ଶିଳ୍ପ ବର୍ଜ୍ୟର ପୁନଃବ୍ୟବହାର ସହ ଦୈନିକ ୫୦ ଟନ୍ ପ୍ଲାଷ୍ଟିକ୍ ପୁନରୁଦ୍ଧାରର ଲକ୍ଷ୍ୟ ରଖାଯାଇଛି।
ସରକାରୀ ସଂସ୍ଥା ଓ ବିଶେଷଜ୍ଞଙ୍କ ସହଯୋଗରେ ସହରୀ ସମସ୍ୟାର ବ୍ୟବହାରିକ ସମାଧାନ ଓ ନବସୃଜନକୁ ଆଗେଇ ନେବା ସହ ଓଡ଼ିଶାରେ ସ୍ୱଚ୍ଛ, ସୁରକ୍ଷିତ ଓ ସ୍ଥାୟୀ ସହର ଗଠନ କରିବା ‘ଅଙ୍କୁର’ର ମୁଖ୍ୟ ଲକ୍ଷ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା