ସିସିଟିଭି ଫୁଟେଜ୍ ରୁ ମିଳିଲା ସୁରାକ୍ : ଝାରସୁଗୁଡ଼ା ଘରୁଚୋରି ମାମଲାରେ ନାବାଳକ ଅଟକ, ଚୋରି ସାମଗ୍ରୀ ଜବତ
Minor-arrested-theft-case-JHS
ସିସିଟିଭି ଫୁଟେଜ୍ ରୁ ମିଳିଲା ସୁରାକ୍ : ଝାରସୁଗୁଡ଼ା ଘରୁଚୋରି ମାମଲାରେ ନାବାଳକ ଅଟକ, ଚୋରି ସାମଗ୍ରୀ ଜବତ


ଝାରସୁଗୁଡ଼ା, ୨୭ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ସହରର ବୃନ୍ଦାବନ କଲୋନୀରେ ଘରେ ପଶି ଚୋରି କରିବା ଘଟଣାରେ ପୁଲିସକୁ ସଫଳତା ମିଳିଛି। ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ର ତଦନ୍ତ ପରେ ଏହି ମାମଲାରେ ଜଣେ ସଂଘର୍ଷରତକୁ ଅଟକ ରଖାଯାଇଛି। ତା’ଠାରୁ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ, ତଥ୍ୟ ବିଶ୍ଳେଷଣ ଓ କ୍ଷେତ୍ରସ୍ତରୀୟ ତଦନ୍ତ ଏହି ସଫଳତାରେ ସହାୟକ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ବୃନ୍ଦାବନ କଲୋନୀର ବାସିନ୍ଦା ହରିପ୍ରିୟା ନାୟକ ଗତ ୧୫ ଅକ୍ଟୋବର ସକାଳ ପ୍ରାୟ ୫ଟା ୩୦ ମିନିଟ୍ ରେ ଘରେ ତାଲା ପକାଇ ସୁନ୍ଦରଗଡ଼ ଜିଲ୍ଲାର ଭସ୍ମା ଥାନା ଅନ୍ତର୍ଗତ ମୁଣ୍ଡାଗାଁସ୍ଥିତ ତାଙ୍କ ଶ୍ୱଶୁର ଘର ଗାଁକୁ ଯାଇଥିଲେ। ପରଦିନ ଅର୍ଥାତ୍ ୧୬ ଅକ୍ଟୋବର ସକାଳ ପ୍ରାୟ ୯ଟା ୩୦ ମିନିଟ୍ରେ ଘରକୁ ଫେରିବା ପରେ ମୁଖ୍ୟ ଦ୍ୱାରର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଘର ଭିତରେ ଥିବା ଆଲମାରି ମଧ୍ୟ ଭଙ୍ଗାଯାଇଥିଲା। ଆଲମାରିରୁ ସୁନା ଓ ରୁପା ଅଳଙ୍କାର, ମୋତି ହାର, ନଗଦ ଟଙ୍କା, ଭ୍ୟାନିଟି ବ୍ୟାଗ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ହରିପ୍ରିୟାଙ୍କ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଥାନାରେ କେସ୍ ନଂ ୫୬୩, ତାରିଖ ୧୬.୧୦.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତକୁ ଜୋରଦାର କରାଯାଇଥିଲା। ଅଞ୍ଚଳରେ ଉପଲବ୍ଧ ସିସିଟିଭି ଫୁଟେଜ୍ ର ଯାଞ୍ଚ ଓ ବିଶ୍ଳେଷଣ ସହ ବିଭିନ୍ନ ସ୍ଥାନରେ ପଚରାଉଚରା ଏବଂ ମିଳିଥିବା ସୂତ୍ର ଆଧାରରେ ତଦନ୍ତ ଆଗକୁ ବଢ଼ିଥିଲା। ଏହି ସମନ୍ୱିତ ପ୍ରୟାସ ଫଳରେ ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ନାବାଳକକୁ ଚିହ୍ନଟ କରି ଅଟକ ରଖିବାରେ ପୁଲିସ ସଫଳ ହୋଇଥିଲା। ଏବଂ ତା'ଠାରୁ ଟ୍ରୁଭ୍ୟୁ କମ୍ପାନୀର ଗୋଟିଏ କ୍ୟାମେରା ଓ ଏହାର ଚାର୍ଜର, ଗୋଟିଏ ୧ ଗ୍ରାମର ସୁନା ହାର, ଚାରୋଟି ୧ ଗ୍ରାମର ସୁନା ଚେନ୍, ଗୋଟିଏ ଯୋଡ଼ା ଇମିଟେସନ୍ କାନଫୁଲ, ତିନୋଟି ମୋତି ହାର, ଗୋଟିଏ ଚମଡ଼ା ପର୍ସ ଏବଂ ଗୋଟିଏ ଛୋଟ ଷ୍ଟିଲ୍ ହାତକରତ ଜବତ ହୋଇଛି।

ଅଟକ ନାବାଳକକୁ ମାନ୍ୟବର ପ୍ରଧାନ ମାଜିଷ୍ଟ୍ରେଟ୍, କିଶୋର ନ୍ୟାୟ ବୋର୍ଡଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଏହି ଚୋରି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅନ୍ୟ କୌଣସି ନେଟୱର୍କର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande