
ଝାରସୁଗୁଡା, ୨୭ ଅକ୍ଟୋବର (ହି.ସ.)- ପାଣି ବିନା ଶୁଖିଯାଉଛି ଗଛ, ବିଲରେ ପାଣି ନାହିଁ । ମାଟି ଫାଟି ଆଁ କରିଛି। ଠିଆ ଠିଆ ଧାନ ଗଛ ସବୁ ଶୁଖି ମରି ଯାଉଛି। ଚାଷୀ ଏଭଳି ଦୃଶ୍ୟ ଦେଖି ଲୁହ ଗଡ଼ାଉଛି। କେବଳ ଗୋଟିଏ ବର୍ଷା ହୋଇଥିଲେ ଏଭଳି ଅବସ୍ଥା ସୃଷ୍ଟି ହୋଇ ନଥାନ୍ତା । ଶେଷ ପର୍ଯ୍ୟାୟରେ ବର୍ଷା ଅଭାବ ଯୋଗୁଁ ଏଭଳି ମରୁଡ଼ି ପରିସ୍ଥିତି ଦେଖା ଦେଲାଣି। ଫଳରେ ଜିଲ୍ଲାର ଚାଷୀଙ୍କ ମୁହଁରୁ ହସ ଗାଏବ୍ ହେବାରେ ଲାଗିଛି।
ଚଳିତ ଖରିଫ ଋତୁରେ ବର୍ଷାର ଅଭାବ ଦେଖାଯାଇ ନାହିଁ । ଧାନ ଚାଷରେ ବହୁ ସ୍ଥାନରେ ବର୍ଷା ଅଧିକ ଯୋଗୁଁ ରୋକପୋକର ପ୍ରାଦୁର୍ଭାବ ଦେଖାଦେଇଛି। ବର୍ଷା ଶେଷାବସ୍ଥାରେ ନହେବାରୁ ଫୁଲ ଧରିଥିବା ଧାନ ଗଛ ଗୁଡ଼ିକ ଝାଉଁଳିବାକୁ ଲାଗିଛି । ଅନେକ ଢିପ ଜମିରେ ଥିବା ଧାନ ଗଛ ଗୁଡ଼ିକ ଶୁଖିଗଲାଣି। ସାଧାରଣତଃ ପର୍ବ ପର୍ବାଣୀରେ ହେଉଥିବା ବର୍ଷା ଧାନ ଚାଷକୁ ରକ୍ଷା କରିଥାଏ। ହେଲେ ଚଳିତ ଦଶହରାରେ ମଧ୍ୟ ବର୍ଷା ନହେବାରୁ ଧାନ ଗଛ ଅନେକ ସ୍ଥାନରେ ଲାଲ ରଙ୍ଗ ଧରିଛି। ଚାଷୀମାନେ ବର୍ଷାଭାବ ଜନିତ ପରିସ୍ଥିତିରେ ଧାନ ଚାଷକୁ ରକ୍ଷା କରିବା ପାଇଁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ପାଣି ପମ୍ପ ସହାୟତାରେ ଜଳାଶୟ, ପୋଖରୀ ଓ ଅନ୍ୟ ଜଳ ଉତ୍ସ ଆଦିରୁ ପାଣି ଉଠାଇ ଉଜୁଡ଼ିଯିବାରୁ ଧାନ ଫସଲକୁ ରକ୍ଷା କରିବାର ପ୍ରୟାସ କରୁଛନ୍ତି। ମାତ୍ର ଡିଜେଲ ପମ୍ପ ସହାୟତାରେ ପାଣି ମଡ଼ାଇବା ଏକ ବ୍ୟୟବହୁଳ ବ୍ୟବସ୍ଥା ହୋଇଥିବାରୁ ଚାଷୀକୂଳ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାକୁ ଲାଗିଛନ୍ତି। ଜିଲ୍ଲାର ଲଖନପୁର, ଲଇକେରା, କୋଲାବିରା, କିର୍ମିରା, ଝାରସୁଗୁଡ଼ା ଆଦି ବ୍ଳକରେ ଏବେ ସମାନ ସ୍ଥିତି । ଅନେକ ସ୍ଥାନରେ ଚାଷ ଉଜୁଡ଼ିବାକୁ ବସିଛି । ପାଣି ପମ୍ପ ସହାୟତାରେ ହୀରାକୁଦ ଜଳଭଣ୍ଡାର ସାଙ୍ଗକୁ ଅନ୍ୟ ଜଳାଶୟ ଏବଂ ଜଳଉତ୍ସ ଗୁଡ଼ିକରୁ ପାଣି ଉଠାଇ ବିଲରେ ମଡ଼ାଇବାରେ ଚାଷୀମାନେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳୁଛି। ଏବେ ବର୍ଷା ନହେଲେ ଶହ ଶହ ଏକର ଜମିର ଧାନ ଫସଲ ଉଜୁଡ଼ିଯିବ ଆଉ ଚାଷୀମାନେ କ୍ଷତିର ସମ୍ମୁଖିନ ହେବେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ