


ବଲାଙ୍ଗିର, ୨୭ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ଥିବା ପ୍ରସିଦ୍ଧ କୁଶଙ୍ଗାଇ ଶକ୍ତି ପୀଠରେ ସୋମବାର କୁମାର ପୂର୍ଣ୍ଣମୀ ତିଥି ରାତିରେ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେହିଦିନ ମା'ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଦିନ ତମାମ ଭକ୍ତମାନଙ୍କ ଗହଳି ମନ୍ଦିର ପରିସରରେ ଲାଗିରହିଥିଲା । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁସଂଖ୍ଯାରେ ଭକ୍ତ ଆସିଥିଲେ ଏହି ପ୍ରସିଦ୍ଧ ପୀଠକୁ । ରାତି ୯ଟାରେ ପାର୍ଶ୍ଵଦେବାଦେବୀଙ୍କ ପୂଜାପରେ ମା' କୁଶଙ୍ଗାଇଙ୍କର ଷୋଡଶ ଉପଚାରରେ ନିଶିପୂଜା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବରୁଆ(ପୂଜକ) ଦେବଦତ୍ତ ଦେହେରୀଙ୍କ ଦେହରେ ମା' ଆବିର୍ଭାବ ହୋଇ ମନ୍ଦିର ପରିସରରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥିଲେ ।
ଏହି ଅବସରରେ ସନ୍ଧ୍ୟା ସମୟରୁ ବିଜେପୁର ନିକଟସ୍ଥ ବରମୁଣ୍ଡାର ବୁଢାରଜା କଳା ପରିଷଦର କଳାକାର ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ ବଏଲ ଯାତ୍ରାରେ ନିମନ୍ତ୍ରିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ଡି.ଏସ୍.ଓ.ପରାଶର ବାଗ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ, ଡାକ୍ତର ରୁଦ୍ର ନାରାୟଣ ପଟେଲ, ସରଗାଡ ସରପଞ୍ଚ ସରୋଜ ବେହେରା, କୁଶଙ୍ଗ ସରପଞ୍ଚ ଗୀତାଞ୍ଜଳୀ ପଟେଲ, କଳାକାର ଅନୀଳ କୁମାର ନାଏକ, ଦୁଷ୍ମନ୍ତ ପଟେଲ ଏବଂ କୁଶଙ୍ଗ ଗୌନ୍ତିଆ ବୃନ୍ଦାବନ ପଟେଲ ଯୋଗଦେଇଥିଲେ। ନିମନ୍ତ୍ରିତ ଅତିଥିମାନଙ୍କୁ ସାଂସ୍କୃତିକ ମଞ୍ଚରେ କମିଟୀ ତରଫରୁ ସମ୍ମାନିତ କରାଯାଇଥିଲା । କରୁଣାକର ପଟେଲ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।
ଉପରୋକ୍ତ ବଏଲ ଯାତ୍ରାକୁ ମା' କୁଶଙ୍ଗାଇ ମନ୍ଦିର ଉନ୍ନୟନ କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀ ଏବଂ ସେବାୟତମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ । ଯାତ୍ରା ଶେଷରେ କମିଟୀ ତରଫରୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ