
ନୂଆଦିଲ୍ଲୀ, ୨୭ ଅକ୍ଟୋବର (ହି.ସ.)- ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଙ୍ଗଳବାର ବ୍ରିକ୍ସ ସଂସଦୀୟ ମର ଉଦ୍ଯାପନ ସମାରୋହରେ କହିଛନ୍ତି ଯେ, ଆମର ଚିନ୍ତାଧାରା ଓ ପରିସ୍ଥିତି ଭିନ୍ନ ହୋଇପାରେ, କିନ୍ତୁ ମାନବ କଲ୍ୟାଣ, ଶାନ୍ତି ଓ ସମୃଦ୍ଧି ପ୍ରତି ଆମର ପ୍ରତିବଦ୍ଧତା ସମାନ। ଏହା ହିଁ ବ୍ରିକ୍ସର ସବୁଠାରୁ ବଡ଼ ଶକ୍ତି।
ନୂଆଦିଲ୍ଲୀରେ ମଙ୍ଗଳବାର ୧୨ତମ ବ୍ରିକ୍ସ ସଂସଦୀୟ ମଂଚର ଉଦ୍ଯାପନ ହୋଇଛି। ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧିତ କରି ଲୋକସଭା ବାଚସ୍ପତି କହିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାର୍ଥକ ଆଲୋଚନା ହୋଇଛି। ସମ୍ମିଳନୀରେ ମିଳିତ ଘୋଷଣାପତ୍ର ଉପରେ ସହମତି ହୋଇଥିବା ସେ ସୂଚନା ଦେଇଛନ୍ତି।
ଏହି ଘୋଷଣାପତ୍ରରେ ଜାତିସଂଘ ଚାର୍ଟର, ରାଷ୍ଟ୍ରଗୁଡ଼ିକର ସାର୍ବଭୌମ ସମାନତା ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଯାଇଛି। ଏଥିସହ ଆତଙ୍କବାଦର ସମସ୍ତ କାର୍ଯ୍ୟକଳାପକୁ କଡ଼ା ନିନ୍ଦା କରାଯାଇ ଜାତିସଂଘ ଦ୍ୱାରା ନାମିତ ଆତଙ୍କବାଦୀ ଓ ସଂଗଠନଗୁଡ଼ିକ ବିରୋଧରେ ଠୋସ୍ ପଦକ୍ଷେପ ନେବାକୁ ଆହ୍ୱାନ ଦିଆଯାଇଛି। ୨୦୨୭ରେ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଥିବା ଚୀନ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି।
ଲୋକସଭା ବାଚସ୍ପତି କହିଛନ୍ତି ଯେ, ଆଜି ବିଶ୍ୱ ସଂଘର୍ଷ, ଅସ୍ଥିରତା ଏବଂ ଆର୍ôଥକ ଅନିଶ୍ଚିତତା ଭଳି ଗମ୍ଭୀର ଆହ୍ୱାନର ସମ୍ମୁଖୀନ ହେଉଛି। ଏଭଳି ସ୍ଥିତିରେ ଆଲୋଚନା, ବିଶ୍ୱାସ ଓ ସହଯୋଗର ଗୁରୁତ୍ୱ ବଢ଼ିଯାଇଛି। ଭାରତ ବିଶ୍ୱାସ କରେ ଯେ, ବିଶ୍ୱର ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ସଂଘର୍ଷରେ ନୁହେଁ, ଆଲୋଚନାରେ ରହିଛି; ଯୁଦ୍ଧରେ ନୁହେଁ, ଶାନ୍ତିରେ ରହିଛି। ଆମକୁ ଏଭଳି ଏକ ବିଶ୍ୱ ଗଠନ ପାଇଁ କାମ କରିବା ଉଚିତ, ଯେଉଁଠାରେ ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱକୁ ସମ୍ମାନ ଦିଆଯିବ ଏବଂ ସମସ୍ତଙ୍କୁ ସମାନ ଭାବରେ ବିକାଶର ସୁଯୋଗ ମିଳିବ।
ସେ କହିଛନ୍ତି ଯେ, ଗଣତନ୍ତ୍ରରେ ସଂସଦ ହେଉଛି ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାର ଅଭିବ୍ୟକ୍ତି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଂଚ। ଏହା କେବଳ ଆଇନ ତିଆରି କରିବାର ସ୍ଥାନ ନୁହେଁ, ବରଂ ଆଲୋଚନା, ଉତରଦାୟିତ୍ୱ ଓ ଜନବିଶ୍ୱାସର ଏକ ଅନୁଷ୍ଠାନ। ତେଣୁ ସମୟ ସହିତ ସଂସଦଗୁଡ଼ିକୁ ଅଧିକ ପ୍ରଭାବଶାଳୀ, ସ୍ୱଚ୍ଛ ଏବଂ ଜନକୈନ୍ଦ୍ରିକ ହେବାକୁ ପଡ଼ିବ।
ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସେ କହିଛନ୍ତି ଯେ, କୃତ୍ରିମ ବୁଦ୍ଧିମତା (ଏଆଇ) ଓ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟ କରିବାର ଶୈଳୀକୁ ବଦଳାଉଛି। ‘ଦାୟିତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା’ ଦ୍ୱାରା ସଂସଦୀୟ କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ଏବଂ ସାଂସଦମାନଙ୍କ କାର୍ଯ୍ୟଦକ୍ଷତା ବଢ଼ାଯାଇପାରିବ। କିନ୍ତୁ ଏଆଇର ବ୍ୟବହାର ନୈତିକତା, ସ୍ୱଚ୍ଛତା ଓ ମାନବ କଲ୍ୟାଣର ସିଦ୍ଧାନ୍ତ ଆଧାରରେ ହେବା ଉଚିତ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ