ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ଲାଗି ଭାରତ ସଂକଳ୍ପବଦ୍ଧ: ଡକ୍ଟର ପି.କେ. ମିଶ୍ର
ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଦୃଢ଼ ଅନୁଷ୍ଠାନ ଏବଂ ଫଳାଫଳ ଆଧାରିତ ପାଣ୍ଠି ଯୋଗାଣ ଲାଗି ଆହ୍ୱାନ ଦେଲେ ଡକ୍ଟର ମିଶ୍ର ସତର୍କତା, ଦୃଢ଼ ଭିତ୍ତିଭୂମି ଏବଂ ଏଆଇ ଆଧାରିତ ଆଗୁଆ ଚେତାବନୀ ବ୍ୟବସ୍ଥା ଉପରେ ଡକ୍ଟର ପି.କେ. ମିଶ୍ରଙ୍କ ଗୁରୁତ୍ୱ ନୂଆଦିଲ୍ଲୀ, ୨୭ ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀଙ୍କ ପ୍ର
ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ଲାଗି ଭାରତ ସଂକଳ୍ପବଦ୍ଧ: ଡକ୍ଟର ପି.କେ. ମିଶ୍ର


ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଦୃଢ଼ ଅନୁଷ୍ଠାନ ଏବଂ ଫଳାଫଳ ଆଧାରିତ ପାଣ୍ଠି ଯୋଗାଣ ଲାଗି ଆହ୍ୱାନ ଦେଲେ ଡକ୍ଟର ମିଶ୍ର

ସତର୍କତା, ଦୃଢ଼ ଭିତ୍ତିଭୂମି ଏବଂ ଏଆଇ ଆଧାରିତ ଆଗୁଆ ଚେତାବନୀ ବ୍ୟବସ୍ଥା ଉପରେ ଡକ୍ଟର ପି.କେ. ମିଶ୍ରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୨୭ ଅକ୍ଟୋବର (ହି.ସ.)

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ଏକ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରିବା ଲାଗି ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ଆଗାମୀ ଦଶନ୍ଧିରେ ଜୀବନ ରକ୍ଷା ସହିତବିକାଶକୁ ସୁରକ୍ଷା ଦେବା ଏବଂ ଆର୍ଥିକ କ୍ଷତି ହ୍ରାସ କରିବା ଉପରେ ଧ୍ୟାନ ଦେବାକୁ ପଡିବ।

ନୂଆଦିଲ୍ଲୀରେ ଆଜି ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ବରିଷ୍ଠ ପଦାଧିକାରୀଙ୍କ ବୈଠକରେ ଉଦବୋଧନ ଦେଇ ଡକ୍ଟର ମିଶ୍ର ଏହା କହିଛନ୍ତି । ଜାତିସଂଘ ବିପର୍ଯ୍ୟୟ ବିପଦ ହ୍ରାସ (ୟୁଏନଡିଆରଆର) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ଏଥିରେ ଭାରତ ଓ ବ୍ରିଟେନ୍ ସହ ଅଧ୍ୟକ୍ଷତା କରୁଛନ୍ତି । ଡକ୍ଟର ମିଶ୍ର କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ, ସହରୀକରଣ, ଭିତ୍ତିଭୂମି ବିସ୍ତାର ଏବଂ ପରିବେଶ ଅବକ୍ଷୟ ପରସ୍ପର ସହ ଜଡ଼ିତ ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଡକ୍ଟର ମିଶ୍ର କହିଛନ୍ତି, ଆଗୁଆ ଚେତାବନୀ ବ୍ୟବସ୍ଥା, ପ୍ରସ୍ତୁତି ଏବଂ ଜରୁରୀକାଳୀନ ମୁକାବିଲା ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲେ ମଧ୍ୟ ଆର୍ଥିକ କ୍ଷତି ଅଧିକ ରହୁଛି । ବିଭାଗୀୟ ସଂକୀର୍ଣ୍ଣତା ଠାରୁ ଆଗକୁ ବଢ଼ି ବିପଦ ଏବଂ ଏହାର କ୍ରମାଗତ ପରିଣାମକୁ ବୁଝିବା ଲାଗି ଏକ ସାମୂହିକ ଆଭିମୁଖ୍ୟର ଆବଶ୍ୟକତା ରହିଛି ।

ଡକ୍ଟର ମିଶ୍ର ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମୱର୍କ ବିଷୟରେ ଉଲ୍ଲେଖ କରିବା ସହିତ ୨୦୩୦ ସୁଦ୍ଧା ଏହାକୁ ତ୍ୱରିତ ବେଗରେ କାର୍ଯ୍ୟକାରୀ କରିବା ଲାଗି ଆହ୍ୱାନ କରିଥିଲେ। ସେ କହିଥିଲେ, ସତର୍କତା, ପ୍ରଶମନ ଏବଂ ସଂସ୍ଥାଗତ କ୍ଷମତା ବୃଦ୍ଧି କ୍ଷେତ୍ରରେ ଅଧିକ ନିବେଶର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିଛି । ଏହି ପରିପ୍ରେକ୍ଷୀରେ, ସେ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଦଶ ସୂତ୍ରୀ ଆଭିମୁଖ୍ୟ (୨୦୧୬) ଏବଂ ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୨୫ ଭଳି ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ପାଣ୍ଠି ଯୋଗାଣର ମାପଯୋଗ୍ୟ ପରିଣାମ ଆସିବା ଦରକାର ବୋଲି ଡକ୍ଟର ମିଶ୍ର ମତବ୍ୟକ୍ତ କରିଥିଲେ । ବିକାଶମୂଳକ ଯୋଜନା ପ୍ରସ୍ତୁତିରେ ଦୀର୍ଘସ୍ଥାୟୀ ଭିତ୍ତିଭୂମି, ଦୃଢ଼ ସହରାଞ୍ଚଳ ପ୍ରତିଷ୍ଠାନ ଏବଂ ପ୍ରାକୃତିକ ସମାଧାନର ଅଧିକ ସମନ୍ୱୟ ପାଇଁ ସେ ଆହ୍ୱାନ କରିଥିଲେ ।

ଡକ୍ଟର ମିଶ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ବିଭିନ୍ନ ବିପର୍ଯ୍ୟୟ ସମ୍ବନ୍ଧୀୟ ପୂର୍ବ ସତର୍କତା ବ୍ୟବସ୍ଥାର ଉପରେ ଜୋର୍ ଦେଇଥିଲେ। ସତର୍କତା ସମୟୋଚିତ କାର୍ଯ୍ୟାନୁଷ୍ଠାନ ଏବଂ ଆର୍ଥିକ ସହାୟତାକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି ସେ କହିଥିଲେ ।ସେ ପୁନରୁଦ୍ଧାର ପ୍ରକ୍ରିୟା ପାଇଁ ଅଗ୍ରୀମ ଯୋଜନା କରିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ, ଯାହା ଦ୍ୱାରା ପୁନଃନିର୍ମାଣ କାର୍ଯ୍ୟ ବର୍ତ୍ତମାନର ଦୁର୍ବଳତାଗୁଡ଼ିକୁ ବଢ଼ାଇବା ପରିବର୍ତ୍ତେସେଗୁଡ଼ିକୁ ହ୍ରାସ କରିବ।

ଅନ୍ତର୍ଜାତୀୟ ସହଯୋଗ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇ ସେ ଭାରତର ଜି-୨୦ ଅଧ୍ୟକ୍ଷତା ୨୦୨୩ କାଳରେ 'ବିପର୍ଯ୍ୟୟ ଆଶଙ୍କା ହ୍ରାସ' ଉପରେ ଜି-୨୦ କାର୍ଯ୍ୟଗୋଷ୍ଠୀ ଗଠନ ଏବଂ ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗକୁ ସୁଦୃଢ଼ କରିବା ପାଇଁ ଜାରି ରହିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ ।

ନିଜ ଅଭିଭାଷଣ ଶେଷରେ ଡକ୍ଟର ମିଶ୍ର ତିନୋଟି ପ୍ରାଥମିକତା – ଆସନ୍ନ ଏବଂ ପରସ୍ପର ସହ ସଂଯୁକ୍ତ ବିପଦକୁ ଭଲ ଭାବେ ବୁଝିବା; ସାର୍ବଜନୀନ ପାଣ୍ଠି ଯୋଗାଣ, ଭିତ୍ତିଭୂମି, ସହର ଏବଂ ପ୍ରାକୃତିକ ବ୍ୟବସ୍ଥାର ସ୍ଥିରତାରେ ଅଧିକ ପ୍ରଭାବଶାଳୀ ନିବେଶ ଏବଂ ବ୍ୟବହାରିକ ଅନ୍ତର୍ଜାତୀୟ ସହଯୋଗ ଦ୍ୱାରା ସମର୍ଥିତ ଦୃଢ଼ ପ୍ରତିଷ୍ଠାନ ବିଷୟରେ ଉଲ୍ଲେଖ କରିଥିଲେ ।

ସେ ସେଣ୍ଡାଇ ଫ୍ରେମୱାର୍କର ଉପଲବ୍ଧିକୁ ମଜବୁତ କରିବା ଏବଂ ୨୦୩୦ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆହ୍ୱାନ ଦେଇଥିଲେ । ଆଗାମୀ ଦଶନ୍ଧିରେ କେବଳ ଜୀବନ ବଞ୍ଚାଇବା ନୁହେଁ ବରଂ ଲୋକଙ୍କ ଦ୍ୱାରା ନିର୍ମିତ ସମ୍ପତ୍ତି, ମୌଳିକ ଭିତ୍ତିଭୂମି ଏବଂ ବିକାଶକୁ ସୁରକ୍ଷିତ ରଖିବାର କ୍ଷମତା ପ୍ରଦର୍ଶିତ ହେବା ବୋଲି ଡକ୍ଟର ମିଶ୍ର ଗୁରୁତ୍ୱ ଦେଇ କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande