
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ସାମୁଦ୍ରିକ ଝଡ଼ ଅର୍ଣ୍ଣବ ର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିବେଦନ କରିଛି।
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଆବଶ୍ୟକ। ବିଶେଷକରି ବିପଦସଙ୍କୁଳ ଅଂଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀରେ ଆବଶ୍ୟକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳ ଯୋଗାଣ, ଚିକିତ୍ସା ସେବା ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ସୁନିଶ୍ଚିତ କରିବା ଉପରେ କଂଗ୍ରେସ ଗୁରୁତ୍ୱାରୋପ କରିଛି।
ଏଥିସହିତ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସଜାଗ ରଖିବା ସହ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ମହଜୁଦ ରଖିବାକୁ ଦଳ ପରାମର୍ଶ ଦେଇଛି। ସମ୍ଭାବ୍ୟ ବିପର୍ଯ୍ୟୟରେ ଯେପରି କୌଣସି ଜୀବନହାନି ନ ହୁଏ ଏବଂ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ମିଳେ, ସେଥିପାଇଁ ସରକାର ଓ ପ୍ରଶାସନ ପ୍ରସ୍ତୁତ ରହିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିବେଦନ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା