
ଜୟପୁର, ୨୭ ଅକ୍ଟୋବର (ହି.ସ.)- କୋଟିଆକୁ ନେଇ ଏଭଳି ଉତ୍ତେଜନା ନୂଆ ନୁହେଁ । ବିଜେଡିର୧୬ ଜଣିଆ ଟିମ୍ କୋଟିଆ ଆସି ଫେରିଥିବା ବେଳେ ମଙ୍ଗଳବାର କଂଗ୍ରେସର ରାଜ୍ୟ ସ୍ତରିୟ ଟିମ୍ ଯାଇ ସମିକ୍ଷା କରି ଫେରିଛି । ଦୀର୍ଘଦିନ ଧରି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଏହି ଅଞ୍ଚଳକୁ ନେଇ ପ୍ରଶାସନିକ ଓ ଭୌଗୋଳିକ ଦାବି ରହିଛି । ଏବେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ଏହି ବିବାଦକୁ ପୁଣି ସାମ୍ନାକୁ ଆଣିଛି । ଏହାରି ଭିତରେ ବିଜେଡି ନେତା ଭୃଗୁ ବକ୍ସି ପାତ୍ର ଓ ପ୍ରଦୀପ ମାଝି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କୋଟିଆରେ ଆନ୍ଧ୍ର ଅଧିକାରୀଙ୍କୁ ଅନୁପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସେ କହିବା ସହ ଆନ୍ଧ୍ର ପକ୍ଷରୁ ଫଳକ ଲଗାଗଲେ ତାହାକୁ ଓପାଡ଼ି ଫୋପାଡ଼ି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ପ୍ରଦୀପ କହିଛନ୍ତି, କୋଟିଆ ଆଜି ଅସହାୟ । ନିର୍ବାଚନ ପୂର୍ବରୁ ଓ ପରେ କୋଟିଆ ପାଇଁ ମାଳ ମାଳ ପ୍ରତିଶ୍ରୁତି ଦିଆଯାଇଛି । ଅନେକ ମନ୍ତ୍ରୀ କୋଟିଆ ଗସ୍ତ କରିଛନ୍ତି, କିନ୍ତୁ ଫଳ ଶୂନ । କୋଟିଆରେ ବିଜୁଳିଠାରୁ ପିଇବା ପାଣି ପର୍ଯ୍ୟନ୍ତ ଯାହା ବିକାଶ ହୋଇଛି, ତାହା ନବୀନ ସରକାର ସମୟରେ ହୋଇଥିଲା ବୋଲି ସେ ଦାବି କରିଛନ୍ତି । ଅଢ଼େଇ ବର୍ଷର ନୂଆ ସରକାର କୋଟିଆରେ କିଛି କରିନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ନଭେମ୍ବର ୩ରେ ଯଦି ଆନ୍ଧ୍ରର ନିର୍ବାଚନ ହୁଏ, ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟୀ ରହିବେ ବୋଲି ସେ କହିଛନ୍ତି । ପ୍ରଦୀପ ମାଝିଙ୍କ ଅଭିଯୋଗର ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କୋଟିଆ କୌଣସି ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ, ବରଂ ଓଡ଼ିଶାର ଅସ୍ମିତାର ପ୍ରତୀକ ବୋଲି ସେ କହିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ରାଜନୈତିକ ପ୍ରତିଉତ୍ତର ଦେବାକୁ ସେ ଚାହୁଁନଥିବା କହିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ, କୋଟିଆର ସୁରକ୍ଷା ପାଇଁ ବ୍ଲକ୍ ଓ ଜିଲ୍ଲାସ୍ତରରେ ସର୍ବଦଳୀୟ କମିଟି ଗଠନ କରାଯାଇଛି । କୋରାପୁଟ ଜିଲ୍ଲାର ବିରୋଧୀ ଦଳର ବିଧାୟକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । କୋଟିଆ ପ୍ରସଙ୍ଗରେ ସମସ୍ତେ ଏକାଠି ହୋଇ ଲଢ଼ିବା ସରକାରଙ୍କ
ଆଭିମୁଖ୍ୟ ବୋଲି ସେ କହିଛନ୍ତି । ଆନ୍ଧ୍ରପ୍ରଦେଶ କୋଟିଆର ତିନିଟି ଗାଁ, ଫଗୁନାସିନେରୀ, ଗଞ୍ଜେଇପଦର ଓ ଫାଟୁସିନେରୀକୁ ନିଜ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିଛି । ନଭେମ୍ବର ୩ରେ ନିର୍ବାଚନ ହେବାକୁ ଥିବାବେଳେ, ସରପଞ୍ଚ ନିର୍ବାଚନ ନଭେମ୍ବର ୨୬, ୨୯ ଓ ଡିସେମ୍ବର ୨ରେ ପର୍ଯ୍ୟାୟକ୍ରମେ ହେବାର କାର୍ଯ୍ୟସୂଚୀ ରହିଛି । ଏହାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ କଣ୍ଟେମ୍ପ୍ଟ ପିଟିସନ୍ ଦାଖଲ କରିଛନ୍ତି ।
୨୦୦୬ରେ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ଯଥାସ୍ଥିତି ବଜାୟ ରଖିବାକୁ କହିଥିବା ବେଳେ, ଓଡ଼ିଶା ସରକାର ଆନ୍ଧ୍ରର ନିର୍ବାଚନ ପ୍ରକ୍ରିୟାକୁ ଏହି ଆଦେଶର ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି । ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦାବି ଅନୁସାରେ, ୨୦୨୧ରେ ଆନ୍ଧ୍ର କୋଟିଆ ସୀମା ଭିତରେ ପୋଲିଂ ଷ୍ଟେସନ୍ କରିଥିଲା । ଏଥର ଓଡ଼ିଶା ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁଁ ସୀମା ଆରପଟେ ପୋଲିଂ ଷ୍ଟେସନ୍ କରାଯାଇଥିବା ସେ କହିଛନ୍ତି । ଅନ୍ୟପଟେ, ରିପୋର୍ଟ ଅନୁସାରେ ଆନ୍ଧ୍ର ପକ୍ଷରୁ ନେରଲାଭାଲାସା ନିକଟ ଥାନମ୍ ରେ ପୋଲିଂ ବୁଥ୍ କରାଯାଇଛି ।
କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ୨୮ଟି ଗାଁ ରହିଛି । ଓଡ଼ିଶା ଅଧିକାର ଦାବି କରୁଥିବା ବେଳେ ଆନ୍ଧ୍ରପ୍ରଦେଶ ୨୧ଟି ଗାଁ ଉପରେ ଅଧିକାର ଦାବି କରୁଛି । ଏହି ସୀମା ବିବାଦ ୧୯୬୮ରୁ ସୁପ୍ରିମକୋର୍ଟରେ ରହିଛି । ଏବେ ଆନ୍ଧ୍ରର ନିର୍ବାଚନ ଘୋଷଣା
ପରେ ବିବାଦ ପୁଣି ରାଜନୈତିକ ରୂପ ନେଇଛି । ସମ୍ପ୍ରତି ରାଜ୍ୟ ସରକାର କୋଟିଆରେ ପୁଲିସ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିୟୋଜିତ କରି ଆନ୍ଧ୍ରର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ନିଷ୍ପତ୍ତି ନେଇଛି । ତେଣୁ କୋଟିଆରେ ଏବେ କେବଳ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦ ନୁହେଁ, ଏହାକୁ ନେଇ ଓଡ଼ିଶାର ରାଜନୀତି ମଧ୍ୟ ସରଗରମ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି