
ଜୟପୁର, ୨୭ ଅକ୍ଟୋବର (ହି.ସ.)- ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟ ରାଜ୍ୟର କେଭାଡିଆଠାରେ ଆସନ୍ତା ଅକ୍ଟୋବର ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ–୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ କୋରାପୁଟ ଜିଲ୍ଲାରୁ ୫୦ ଜଣିଆ ଏକ ପ୍ରତିନିଧି ଦଳ ଆଜି ଦିନ ୧୨ଟା ସମୟରେ କେଭାଡିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ସବୁଜ ପତାକା ପ୍ରଦର୍ଶନ କରି ପ୍ରତିନିଧି ଦଳର ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିଷେକ ପାଣିଗ୍ରାହୀ, ସେମିଳିଗୁଡ଼ାର ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବାଙ୍କ ସମେତ ପୋଲିସ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟରୁ ଯାତ୍ରା ଆରମ୍ଭ କରିଥିବା ଏହି ପ୍ରତିନିଧି ଦଳ ରାୟଗଡ଼ା ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ପ୍ରତିନିଧି ଦଳର ଯାତ୍ରା ସୁବ୍ୟବସ୍ଥିତ କରିବା, ଆବଶ୍ୟକୀୟ ସମନ୍ୱୟ ରକ୍ଷା କରିବା ଏବଂ ଯାତ୍ରା ସମୟରେ ଆବଶ୍ୟକ ସହଯୋଗ ଯୋଗାଇଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜଣ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।ରାଷ୍ଟ୍ରୀୟ ଏକତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରିବା ସହିତ ଦେଶର ଏକତା, ଅଖଣ୍ଡତା ଓ ଜାତୀୟ ସଂହତିର ଆଦର୍ଶକୁ ସୁଦୃଢ଼ କରିବା। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ପ୍ରତିନିଧି ଦଳର ଅଂଶଗ୍ରହଣ ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ବାର୍ତ୍ତାକୁ ଆହୁରି ବ୍ୟାପକ କରିବାରେ ସହାୟକ ହେବ।
ହିନ୍ଦୁସ୍ଥାନ ସମାଚାର / ପିକେପି