
କେନ୍ଦ୍ରାପଡ଼ା, ୦୩ ଅକ୍ଟୋବର (ହି.ସ.): ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଜିଲ୍ଲା କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଗରାପୁର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତି ନିକଟରେ ଧାରଣା ଆନ୍ଦୋଳନ ସଂଗଠିତ କରାଯାଇଛି। ରାଜ୍ୟରେ ନିଶା ନିବାରଣ ଆଇନ - ୧୯୫୬କୁ କାର୍ୟ୍ୟକାରୀ କରି ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିବା ଦାବିରେ ରାଜଧାନୀ ଭୁବନେଶ୍ୱରରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତି ଠାରୁ ମଧୁବାବୁଙ୍କ ପ୍ରତିମୂର୍ତି ପର୍ୟ୍ୟନ୍ତ ୧୧୪ ଦିନ ହେଲା ପ୍ରତ୍ୟହ ଚାଲିଥିବା ତ୍ରିରଙ୍ଗା ଯାତ୍ରାକୁ ସମର୍ଥନ ଜଣାଇ ସଂଗଠନର କର୍ମକର୍ତାମାନେ ଏହି ଧାରଣା ସଂଗଠିତ କରାଯାଇଥିଲା। ସଂଗଠନର ଜିଲ୍ଲା ସଂପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ହୋଇଥିବା ଏହି ଧାରଣାରେ ଯୋଗଦେଇ ସଂଗଠନର କେନ୍ଦ୍ରାପଡ଼ା ବ୍ଲକ ସଭାପତି ଦ୍ରୈ।ପଦୀ ରାଉତ, ଇଂ ବିଶ୍ୱନାଥ ବେହେରା, ଭାଗୀରଥି ଜେନା, ଅଧ୍ୟାପକ ଅଜୟ ସାମଲ, ରମଣୀ ରଞ୍ଜନ ରାଉତରାୟ, ସରୋଜକାନ୍ତ ନାୟକ ପ୍ରମୁଖ ଗାନ୍ଧିଜୀଙ୍କ ରାମରାଜ୍ୟର ଭାରତ ଗଠନ ନିମନ୍ତେ ନିଶା ନିବାରଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ବର୍ତମାନର ରାଜ୍ୟ ସରକାରର ନେତୃତ୍ୱ ନେଉଥିବା ବିଜେପି ୨୦୨୪ ନିର୍ବାଚନ ପୂର୍ବର ଘୋଷଣା ପତ୍ରରେ ଓଡ଼ିଶାକୁ ନିଶାମୁକ୍ତ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ଏବେ ମଦ ପ୍ରସାର କାର୍ୟ୍ୟରେ ଲାଗିଥିବାରୁ ଆନ୍ଦୋଳନକାରୀମାନେ କଟୁ ସମାଲୋଚନା କରିଥିଲେ। ସରକାର ଏଥିରୁ ନିବୃତ ରହି ତୁରନ୍ତ ନିଶା ନିବାରଣ ଆଇନ କାର୍ୟ୍ୟକାରୀ ନକଲେ ଆସନ୍ତା ନଭେମ୍ବର ୨୩ - ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଠାରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ।
-------------
ହିନ୍ଦୁସ୍ଥାନ ସମାଚାର / ରବି