
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ରାଜସ୍ୱ ରବି ସ୍ୱର୍ଗତଃ ଶ୍ରୀନିବାସ ଜେନାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତିଚାରଣ ସଭା ଆଜି ସନ୍ଧ୍ୟାରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତଃ ଜେନା ଭଦ୍ରକ ତହସିଲର ରାଜସ୍ୱ ପରିଦର୍ଶକ ଥିଲେ। ଶ୍ରୀନିବାସ ଜେନା ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଏସ୍ପି ମନୋଜ ରାଉତ ଯୋଗଦେଇ କହିଲେ ସରକାରୀ ଦାୟିତ୍ୱ ନିର୍ବାହ ସମୟରେ ତୃଣମୂଳ ସ୍ତରର ନିସ୍ୱ ଅସହାୟ ବ୍ୟକ୍ତିଙ୍କୁ ନ୍ୟାୟ ଦେଇପାରିଲେ ଚାକିରୀର ସାର୍ଥକତା ମିଳେ। ନିଜର ଦାୟିତ୍ୱକୁ ନିଷ୍ଠାର ସହ ପାଳନ କଲେ ଓ ସାଧାରଣ ଲୋକଙ୍କୁ ବିନା ସ୍ୱାର୍ଥରେ ନ୍ୟାୟ ଦେଇପାରିଲେ ଅବସର ପରେ ଏହା ଜନମାନସରେ ଚିର ସ୍ମରଣୀୟ ହୋଇ ରହେ। ରାଜସ୍ୱ ପରିଦର୍ଶକ ସ୍ୱର୍ଗତଃ ଜେନାଙ୍କ ଭଳି ସ୍ମୃତିଚାରଣ କରାଯାଇଥାଏ। ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ଯୋଗଦେଇ ଚାକିରୀ ଜୀବନରେ ସ୍ୱର୍ଗତଃ ଜେନାଙ୍କ ନିଷ୍ଠାପର ସେବା ଓ କର୍ତବ୍ୟନିଷ୍ଠ ସଂପର୍କରେ ମତବ୍ୟକ୍ତ କରିଥିଲେ। ସ୍ମୃତି ସଂସଦର ସଭାପତି ପ୍ରଦୀପ ବାଘଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଜିଲାର ୨୦୨୬ ପାଇଁ ନିଷ୍ଠାପର ଓ କର୍ତବ୍ୟପରାୟଣ ସେବା ସମ୍ବର୍ଦ୍ଧନା ଯୋଗ୍ୟ ରାଜସ୍ୱ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏମାନେ ହେଲେ ବାସୁଦେବପୁର ରାଜସ୍ୱ ପରିଦର୍ଶକ ସରୋଜ କୁମାର ମହାନ୍ତି, ବନ୍ତ ରାଜସ୍ୱ ନିରୀକ୍ଷକ ଶରତ କୁମାର ମହାନ୍ତି, ଭଦ୍ରକ ରାଜସ୍ୱ ନିରୀକ୍ଷକ ମନୋରମା ଧଳ, ଧାମନଗର ରାଜସ୍ୱ ନିରୀକ୍ଷକ କମଦା ମାରାଣ୍ଡି, ଭଣ୍ଡାରିପୋଖରୀ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ମନୋହର ନାୟକ, ଚାନ୍ଦବାଲି ଅତିରିକ୍ତ ରାଜସ୍ୱ ନିରୀକ୍ଷକ ବିଶ୍ୱଜିତ୍ ପାତ୍ର, ତିହିଡି ଅମିନ ଭକ୍ତିପ୍ରଭା ପତି ଅଟନ୍ତି। ମଂଚ ପରିଚାଳନା କରିଥିଲେ ଭଦ୍ରକ ରାଜସ୍ୱ ପରିଦର୍ଶକ ଜ୍ୟୋତିରଞ୍ଜନ ପଣ୍ଡା। ଏହାବ୍ୟତୀତ ରାଜସ୍ୱ ବିଭାଗର ପୂର୍ବତନ ବରିଷ୍ଠ କିରାଣୀ ରାମନାରାୟଣ ପାଣିଗ୍ରାହୀଙ୍କୁ ଅତିରିକ୍ତ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସ୍ୱଳ୍ପ ସଂଚୟ ଅଧିକାରୀ ପଦ୍ମନ ରାୟ, ବିଜୟ କର, ପ୍ରିୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ