ଶିଶୁ ଚିକିତ୍ସାରେ ଅବହେଳା ଅଭିଯୋଗ, ମଙ୍ଗଳବଜାର ହସ୍ପିଟାଲ ସମ୍ମୁଖରେ ବିଜେଡିର ଧାରଣା
Allegation of Negligence in Child Treatment at Mangalbazar
ଶିଶୁ ଚିକିତ୍ସାରେ ଅବହେଳା ଅଭିଯୋଗ, ମଙ୍ଗଳବଜାର


ଝାରସୁଗୁଡ଼ା, ୩ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ସହରର ମଙ୍ଗଳବଜାରସ୍ଥିତ ସାଟେଲାଇଟ୍ ହସ୍ପିଟାଲରେ ଶନିବାର ସକାଳେ ଜଣେ ଶିଶୁର ଚିକିତ୍ସାକୁ ନେଇ ଜଣେ ଅନ୍-ଡ୍ୟୁଟି ଡାକ୍ତରଙ୍କ ବିରୋଧରେ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗ ଉଠିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାକୁ ନେଇ ବିଜେଡି ନେତା ଓ କର୍ମୀମାନେ ହସ୍ପିଟାଲ ପରିସରରେ ଧାରଣା ଦେଇଥିଲେ।

ସୂଚନା ଅନୁସାରେ, ମୁଙ୍ଗାପଡ଼ା ଅଞ୍ଚଳର ଓମ୍ ପ୍ରକାଶ ଠକ୍କରଙ୍କ ଶିଶୁପୁତ୍ରକୁ ପ୍ରବଳ ଜ୍ୱର ହେବାରୁ ସେ ଶନିବାର ସକାଳ ପ୍ରାୟ ୫ଟାରୁ ୬ଟା ମଧ୍ୟରେ ଶିଶୁକୁ ନେଇ ମଙ୍ଗଳବଜାର ସାଟେଲାଇଟ୍ ହସ୍ପିଟାଲକୁ ଯାଇଥିଲେ। ଟିକେଟ୍ ନେବା ପରେ ସେ ଅନ୍-ଡ୍ୟୁଟି ଡାକ୍ତର ଅନିଶ ଅଖତରଙ୍କ କୋଠରୀକୁ ଯାଇଥିଲେ।

ଅଭିଯୋଗ ଅନୁସାରେ, ଡାକ୍ତର ଅଖତର କୋଠରୀରେ ଶୋଇଥିଲେ। ବାରମ୍ବାର କବାଟ ଖଡ଼ଖଡ଼ କରିବା ପରେ ସେ ବାହାରକୁ ଆସି ଅଭିଭାବକଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଶିଶୁର ବାପା-ମା’ ଚିକିତ୍ସା ପାଇଁ ନିବେଦନ କରିଥିଲେ ମଧ୍ୟ ଡାକ୍ତର ଚିକିତ୍ସା କିମ୍ବା ପରୀକ୍ଷା କରିନଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ଡାକ୍ତରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଘଟଣା ପ୍ରଚାରିତ ହେବା ପରେ ହସ୍ପିଟାଲ ପରିସରରେ ରୁଣ୍ଡ ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପୂର୍ବତନ ବିଧାୟିକା ଦୀପାଳୀ ଦାସ, ପୌର ଅଧ୍ୟକ୍ଷା ରାନୀ ହାତୀ, ଉପାଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସିଆରାମ ଦାସ, ବିଜେଡି ଯୁବନେତା ପୁରୁଷୋତ୍ତମ ମହାନ୍ତି, ତାପସ ରାୟ ଚୌଧୁରୀ, ବରିଷ୍ଠ ଓକିଲ ପି. ରାମମୋହନ ରାୟ ଓ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ସମେତ ଶତାଧିକ କର୍ମୀ ଓ ସାଧାରଣ ଲୋକ ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିଲେ।

ଧାରଣା ସମୟରେ ପୂର୍ବତନ ବିଧାୟିକା ଦୀପାଳୀ ଦାସ ମଙ୍ଗଳବଜାର ହସ୍ପିଟାଲର ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ନେଇ ପ୍ରଶ୍ନ ଉଠାଇଥିଲେ। ଏପରି ଘଟଣା ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ବିଫଳତାକୁ ପ୍ରତିଫଳିତ କରୁଛି ବୋଲି ସେ ଅଭିଯୋଗ କରିଥିଲେ।

ଖବର ପାଇ ଝାରସୁଗୁଡ଼ା ଟାଉନ୍ ଥାନା ଆଇଆଇସି ରଞ୍ଜନ ବରିହା ଓ ସିଡିଏମ୍ଓ ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande