କିର୍ମିରାରେ ବିଜେଡିର ନୂଆଁଖାଇ ଭେଟଘାଟ
BJD celebrate Nuakhai Bhetghat at Kirmira
କିର୍ମିରାରେ ବିଜେଡିର ନୂଆଁଖାଇ ଭେଟଘାଟ


ଝାରସୁଗୁଡା, ୩ ଅକ୍ଟୋବର (ହି.ସ.)- କିର୍ମିରା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ଚୁଡ଼ାମଣି ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବର ମହତ୍ତ୍ୱ, ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତା ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସମାଜସେବା ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, ଜିଲ୍ଲା ବିଜେଡି ସଭାପତି ହରିଣ ଗଣତ୍ରା, ପୂର୍ବତନ ସଭାପତି ରବି ସିଂହ, ଜିଲ୍ଲା ବିଜେଡି ନେତ୍ରୀ ସପ୍ଲାମୟୀ ପଟେଲ, ଜିଲ୍ଲା ଯୁବ ବିଜେଡି ସଭାପତି ରବିନ ପାଣ୍ଡେ, କୃଷକ ନେତା ଜଗନ୍ନାଥ ଜେନାଙ୍କ ସମେତ ଅନେକ ନେତା ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ଯୁବ ନେତା ମଳୟ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତପନ ସା, ସରୋଜ ନାୟକ, ପ୍ରେମା ବେସନ, ସୁରେନ୍ଦ୍ର ବଖରା, ସିଦ୍ଧାର୍ଥ ଖରସେଲ, ସୁରେଶ ମାଝୀ ଓ ଗୋପାଳ କରାଲ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କିର୍ମିରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ଏବଂ କିର୍ମିରା ପଞ୍ଚାୟତର ନାଏବ ସରପଞ୍ଚ ବିଜେଡିରେ ଯୋଗଦେଇଥିବା ଦଳ ପକ୍ଷରୁ କୁହାଯାଇଛି। ନବାଗତମାନଙ୍କୁ ଅତିଥିମାନେ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ। ଯୁବ ନେତା ମାନସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande