ବନ୍ଦେ ମାତରମ୍ ଶିବିର ପ୍ରସ୍ତୁତି ବୈଠକ
ବନ୍ଦେ ମାତରମ୍ ଶିବିର ପ୍ରସ୍ତୁତି ବୈଠକ
ବନ୍ଦେ ମାତରମ୍ ଶିବିର  ପ୍ରସ୍ତୁତି ବୈଠକ


ସମ୍ବଲପୁର, ୦୩, ଅକ୍ଟୋବର (ହି.ସ.) - ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପରିସରରେ ଆସନ୍ତା ଅକ୍ଟୋବର ୧୦ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ସପ୍ତାହବ୍ୟାପୀ ଜାତୀୟସ୍ତରୀୟ ‘ବନ୍ଦେ ମାତରମ୍ ଶିବିର’ର ସଫଳ ପରିଚାଳନା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମେରା ଯୁବା ଭାରତ’ (ମାଏ ଭାରତ), ସମ୍ବଲପୁର ତଥା ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ବୃହତ୍ ଜାତୀୟ ସମାବେଶକୁ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି ଜାତୀୟ ଶିବିରରେ ଯୋଗଦେବା ପାଇଁ ଅକ୍ଟୋବର ୯ ତାରିଖରୁ ହିଁ ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିନିଧି ଓ ସ୍ୱେଚ୍ଛାସେବୀମାନଙ୍କର ଆଗମନ ଏବଂ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଯୁବପିଢ଼ିଙ୍କ ମଧ୍ୟରେ ରାଷ୍ଟ୍ରପ୍ରେମ, ସାମାଜିକ ଦାୟିତ୍ୱବୋଧ, ନେତୃତ୍ୱ ଏବଂ ଜାତୀୟ ସଂହତିର ବିକାଶ ପାଇଁ ଶିବିରରେ ବହୁବିଧ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପ୍ରତ୍ୟେକ ଦିନ ପ୍ରଭାତରେ ଯୋଗ, ପ୍ରାଣାୟାମ ଏବଂ ସାମୂହିକ ଶ୍ରମଦାନ ଜରିଆରେ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହିତ ସମ୍ବଲପୁର ଓ ଓଡ଼ିଶାର ଐତିହ୍ୟ, ସଂସ୍କୃତି, ହସ୍ତତନ୍ତ, ସ୍ୱାଧୀନତା ସଂଗ୍ରାମରେ ବନ୍ଦେ ମାତରମର ଭୂମିକା ଏବଂ ସମ୍ବିଧାନ ଓ ନାଗରିକ କର୍ତବ୍ୟ ଉପରେ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଶିବିରାର୍ଥୀମାନଙ୍କ ପାଇଁ ବିଭିନ୍ନ ରାଜ୍ୟର ଭାଷା, ଖାଦ୍ୟ ଓ କ୍ରୀଡ଼ା ପ୍ରତିଯୋଗିତା ସହ ଏନଡିଆରଏଫ୍ ଟିମ୍ ଦ୍ୱାରା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ପ୍ରତିନିଧିମାନଙ୍କୁ ହୀରାକୁଦ ବନ୍ଧ, ଗାନ୍ଧୀ ମିନାର, ଡେବ୍ରିଗଡ଼ ଅଭୟାରଣ୍ୟ, ମା’ ଘଂଟେଶ୍ୱରୀ, ମା’ ସମଲେଶ୍ୱରୀ ମନ୍ଦିର ଏବଂ ସମ୍ବଲପୁରୀ ଶାଢ଼ୀ ବୁଣାକାର ଗ୍ରାମ କରଡୋଳା ପରିଭ୍ରମଣ କରାଯାଇ ଓଡ଼ିଶାର ଗୌରବମୟ ଐତିହ୍ୟ ସହ ପରିଚିତ କରାଯିବ। ପ୍ରତ୍ୟେକ ସନ୍ଧ୍ୟାରେ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନେତୃତ୍ୱ ବିକାଶ ଓ ସରକାରୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଆସନ୍ତା ଅକ୍ଟୋବର ୧୬ ତାରିଖରେ ଅଭିଜ୍ଞତା ବଂଟନ, ଫିଡବ୍ୟାକ୍ ଏବଂ ଭବ୍ୟ ଉଦ୍ୟାପନୀ ଉତ୍ସବ ସହିତ ଏହି ଶିବିର ସମାପ୍ତ ହେବ। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ବାହାର ରାଜ୍ୟରୁ ଆସୁଥିବା ଅତିଥିମାନଙ୍କ ରହିବା, ଖାଦ୍ୟ, ସୁରକ୍ଷା ଓ ଗମନାଗମନର ସମୁଚିତ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସର୍ବାଙ୍ଗୀନ ସୁନ୍ଦର ଓ ସଫଳ କରିବା ପାଇଁ ସମ୍ବଲପୁର ଜିଲ୍ଲା ଯୁବ ଅଧିକାରୀ, ମାଇଁ ଭାରତ ପ୍ରସନ୍ନ ମେହେର ସକ୍ରିୟ ସହଯୋଗ କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande