
କେନ୍ଦ୍ରାପଡ଼ା, ୦୩ ଅକ୍ଟୋବର (ହି.ସ.): ପାରାଦ୍ୱୀପ-ହରିଦାସପୁର ରେଳପଥର ମାର୍ଶାଘାଇ ଲୁଣା ବ୍ରିଜ୍ ଉପରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଛି। ମୃତଦେହଟି ରେଳଧାରଣା ଉପରେ ପଡ଼ିଥିବା ବେଳେ ଏହା ଉପର ଦେଇ ବାରମ୍ବାର ଟ୍ରେନ୍ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଏହି ହୃଦୟବିଦାରକ ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଆତଙ୍କ ଖେଳିଯାଇଛି।ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ କିଛି ସ୍ଥାନୀୟ ଲୋକେ ବ୍ରିଜ୍ ଉପର ଦେଇ ଯିବାବେଳେ ରେଳଧାରଣା ଉପରେ ମୃତଦେହ ପଡ଼ିଥିବା ଦେଖିଥିଲେ। ଖବର ପ୍ରଘଟ ହେବା ମାତ୍ରେ ଶତାଧିକ ଲୋକେ ଘଟଣାସ୍ଥଳରେ ଜମା ହୋଇଥିଲେ। ଲୋକେ ତୁରନ୍ତ ରେଳ ବିଭାଗ ଓ ମାର୍ଶାଘାଇ ଥାନା ପୋଲିସକୁ ଖବର ଦେଇଥିଲେ।ତେବେ ପୋଲିସ ଓ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ମୃତଦେହ ଉପର ଦେଇ କେତେକ ଟ୍ରେନ୍ ଯାତାୟାତ କରିଥିବା କୁହାଯାଉଛି। ଫଳରେ ମୃତଦେହଟି ବିକୃତ ହୋଇଯାଇଛି। ଘଟଣାସ୍ଥଳରେ ପହଂଚି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ଯୁବକଙ୍କ ବୟସ ଆନୁମାନିକ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ପରିଚୟ ଏପର୍ୟ୍ୟନ୍ତ ମିଳିପାରିନାହିଁ। ଏହା ଆତ୍ମହତ୍ୟା ନା ଟ୍ରେନ୍ ଧକ୍କାରେ ଦୁର୍ଘଟଣା ନା ଅନ୍ୟ କୌଣସି ରହସ୍ୟ ରହିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।ଘଟଣାକୁ ନେଇ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ରେଳ ବିଭାଗର ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
-----------------
---------------
ହିନ୍ଦୁସ୍ଥାନ ସମାଚାର / ରବି