
ଭୋପାଳ, ଅକ୍ଟୋବର 3 (ହି.ସ)। କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଭୋପାଳରେ ପହଞ୍ଚିଥିଲେ। ଦିଲ୍ଲୀରେ ବ୍ୟସ୍ତତା ଯୋଗୁଁ ତାଙ୍କର ଭୋପାଳ ଯାତ୍ରାରେ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବ ହୋଇଥିଲା। ଏହି କାରଣରୁ ରାଜଧାନୀରେ ତାଙ୍କ ସ୍ୱାଗତ ପାଇଁ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଶାହଙ୍କ ଆଗମନ ସମୟରେ ଷ୍ଟେଟ୍ ହ୍ୟାଙ୍ଗରରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ହେମନ୍ତ ଖଣ୍ଡେଲୱାଲଙ୍କ ସମେତ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ଗୃହମନ୍ତ୍ରୀ ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ଭୋପାଳରେ ପହଞ୍ଚିବାରୁ ଷ୍ଟେଟ୍ ହ୍ୟାଙ୍ଗରରେ ପୂର୍ବରୁ ପହଞ୍ଚିଥିବା ମନ୍ତ୍ରୀ ଓ ବିଧାୟକମାନଙ୍କୁ ଫେରିଯିବାକୁ ପଡ଼ିଥିଲା। ପରେ ଶାହଙ୍କ ପ୍ରକୃତ ଆଗମନ ସମୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ, ବିଜେପି ରାଜ୍ୟ ସଭାପତି ହେମନ୍ତ ଖଣ୍ଡେଲୱାଲ, ପୁଲିସ ମହାନିର୍ଦ୍ଦେଶକ କୈଳାଶ ମକୱାନା, ଭୋପାଳ ପୁଲିସ କମିଶନର ସଞ୍ଜୟ କୁମାର ଏବଂ ଭୋପାଳ କଲେକ୍ଟର ପ୍ରିୟଙ୍କ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅମିତ ଶାହ ଭୋପାଳରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ ମାଧ୍ୟମରେ ତାଙ୍କ ଆଗମନ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଲେଖିଥିଲେ ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ରାତିରେ ଭୋପାଳ ଆଗମନ ଅବସରରେ ତାଙ୍କୁ ଆତ୍ମୀୟ ସ୍ୱାଗତ କରାଯାଇଛି। ଶାହଙ୍କ ଏହି ଗସ୍ତ ଦ୍ୱାରା ରାଜ୍ୟର ବିକାଶକୁ ନୂଆ ଶକ୍ତି ମିଳିବ ଏବଂ ସମସ୍ତଙ୍କୁ ତାଙ୍କ ମାର୍ଗଦର୍ଶନ ପ୍ରାପ୍ତ ହେବ ବୋଲି ସେ କହିଥିଲେ। ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ହେମନ୍ତ ଖଣ୍ଡେଲୱାଲ ମଧ୍ୟ ‘ଏକ୍ସ’ ମାଧ୍ୟମରେ ଶାହଙ୍କୁ ସ୍ୱାଗତ କରିବା ସହ ତାଙ୍କ ଭୋପାଳ ଆଗମନକୁ ନେଇ ବାର୍ତ୍ତା ସେୟାର କରିଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା