
କେନ୍ଦୁଝର, ୦୩ ଅକ୍ଟୋବର (ହି.ସ.) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ, ସଂଘର୍ଷ ଏବଂ ୨୫ ବର୍ଷର ନିରବଚ୍ଛିନ୍ନ ଜନସେବାକୁ ପ୍ରଦର୍ଶିତ କରି ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ କେନ୍ଦୁଝର ପ୍ରେକ୍ଷାଳୟ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱତନ୍ତ୍ର ‘ନମୋ ସେବା ଗାଥା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଷ୍ଟାଗ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ମୋଦୀ ଜୀଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ଏବଂ ଜନସେବାରେ ତାଙ୍କର ଯାତ୍ରାକୁ ଦର୍ଶାଉଥିବା ଏକ ଆକର୍ଷଣୀୟ ନାଟକ ଉପସ୍ଥାପନ କରାଯାଇଥିଲା। ଏହି ନାଟ୍ୟ ରୂପାନ୍ତର ମାଧ୍ୟମରେ କଳାକାରମାନେ ବିଗତ ୨୫ ବର୍ଷ ମଧ୍ୟରେ ଜନଜୀବନରେ ତାଙ୍କର ଉତ୍ସର୍ଗୀକୃତ ମନୋଭାବ, ପ୍ରତିବଦ୍ଧତା ଏବଂ ଦୀର୍ଘ ଦିନର ସଂପୃକ୍ତିକୁ ଉପସ୍ଥାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, କାର୍ଯ୍ୟକ୍ରମର ସଂଯୋଜକ ଅନୁବ୍ରତ ବେହେରା, କେନ୍ଦୁଝର ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।
ଏହି ଅବସରରେ ଅତିଥିମାନେ ଜନସେବାର ଗୁରୁତ୍ୱ, ସମାଜ ମଙ୍ଗଳ ପାଇଁ ଉତ୍ସର୍ଗୀକୃତ ମନୋଭାବ ଓ ନିଷ୍ଠା ଉପରେ ଆଲୋକପାତ କରିଥିଲେ। ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ବିଭିନ୍ନ ପର୍ଯ୍ୟୟ ଏବଂ ସେବା ତଥା ରାଷ୍ଟ୍ର ଗଠନ ଉପରେ ତାଙ୍କର ନିରନ୍ତର ଗୁରୁତ୍ୱକୁ ଜୀବନ୍ତ ଭାବେ ଚିତ୍ରଣ କରିଥିବାରୁ ଏହି ନାଟ୍ୟ ଉପସ୍ଥାପନାକୁ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ‘ନମୋ ସେବା ଗାଥା’ କାର୍ଯ୍ୟକ୍ରମ ତାଙ୍କର ୨୫ ବର୍ଷର ଜନସେବାକୁ ସ୍ମରଣ କରିବା ସହ ଲୋକଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ, ଅଧ୍ୟବସାୟ ଏବଂ ସେବା ମନୋଭାବ ଭଳି ମୂଲ୍ୟବୋଧକୁ ରେଖାଙ୍କିତ କରିବାର ଏକ ମାଧ୍ୟମ ସାଜିଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA