
ପୁରୀ, ୩ ଅକ୍ଟୋବର (ହି.ସ.)- ଶନିବାର ମୂଳାଷ୍ଟମୀରେ ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ଓ ଦେବୀ ଉତଥାପନ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶ୍ରୀମନ୍ଦିରରେ ମାବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରର ଦେବୀ ପୀଠମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନାର ଶୁଭାରମ୍ଭ ହୋଇଛି । ବଡ଼ଦେଉଳ ରତ୍ନଭଣ୍ଡାରରୁ ମା'ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରିଥିଲେ । ମାସୁଭଦ୍ରାଙ୍କ ଆଜ୍ଞାମାଳ ପାଇ ମା'ଦୁର୍ଗା ସୋମନାଥ ମଣ୍ଡପକୁ ବିଜେ କରିଥିଲେ । ସେଠାରେ ଶ୍ରୀଅଙ୍ଗ ପୋଛାଯାଇ ନୂଆଲୁଗା ଲାଗି ହୋଇ ଠାକୁରାଣୀଙ୍କ ବେଶ ବଢ଼ିଥିଲା। ଯଥାବିଧି ସହସ୍ର କୁମ୍ଭାଭିଷେକ ନୀତି ସମ୍ପନ୍ନ ହୋଇଥିଲା। ଏଥିସହ ଶାରଦୀୟ ପୂଜା ଅବସରରେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନା ଆରମ୍ଭ ହୋଇଛି ।
ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଉପାସନା ପ୍ରଚଳିତ । ଶନିବାର ଅପରାହ୍ନରେ ମାଧବ ଆଜ୍ଞାମାଳ ପାଇ ଭଣ୍ଡାର ଦ୍ୱାରକୁ ଆସିଥିଲେ । ପୂର୍ବରୁ ସେଠାରେ ଦେବୀ ଦୁର୍ଗା ଅଧିଷ୍ଠିତ ହୋଇଥିଲେ । ବିଧି ଅନୁସାରେ ଉଭୟ ଦେବଦେବୀ ରୁନ୍ଧା ହୋଇଥିଲେ । ପରେ ମା'ବିମଳା ଠାକୁରାଣୀଙ୍କ ଜଗମୋହନରେ ଦେବଦେବୀ ବିଜେ ହୋଇ ଯଥାବିଧି ପୂଜା ସମ୍ପନ୍ନ ହୋଇଥିଲା ।
ଅକ୍ଟୋବର ୧୭ ତାରିଖ ଶନିବାର ମହାସପ୍ତମୀ, ୧୮ ତାରିଖ ରବିବାର ମହାଷ୍ଟମୀ ଓ ୧୯ ତାରିଖ ସୋମବାର ମହାନବମୀ ପୂଜା ଅନୁଷ୍ଠିତ ହେବ । ଷୋଳପୂଜାର ନବମ ଦିନ ଅର୍ଥାତ୍ ୧୧ ତାରିଖରୁ ଦୁର୍ଗା ମାଧବଙ୍କ ବାହାର ବିଜେ ଅନୁଷ୍ଠିତ ହେବ। ଏକ ରଥାକୃତି ବିମାନରେ ଦୁର୍ଗାମାଧବଙ୍କୁ ନେଇ ଶ୍ରୀମନ୍ଦିର ସମ୍ମୁଖ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀଙ୍କ ମନ୍ଦିରରେ ବିଜେ କରାଯିବ । ୨୧ ତାରିଖ ବୁଧବାର ଦଶହରା ପୂଜା ଅନୁଷ୍ଠିତ ହେବ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ, ଭୋର୍ ୫ଟା ୨୯ ରେ ସିଂହଦ୍ୱାର ଫିଟା ନୀତି, ସକାଳ ୬ଟା ୬ରେ ମଙ୍ଗଳଆଳତୀ, ୬ଟା ୪୪ରେ ତଡ଼ପ ଲାଗି ସମ୍ପୂର୍ଣ୍ଣ ହୋଇଥିଲା । ଏହାପରେ ୭ଟା ୩୩ରେ ଅବକାଶ ପୂଜା ସମ୍ପୂର୍ଣ୍ଣ, ୮ଟା ୭ରେ ରୋଷ ହୋମ ସମ୍ପୂର୍ଣ୍ଣ, ୮ଟା ୧୫ରେ ବେଶ ସମ୍ପୂର୍ଣ୍ଣ, ପୂର୍ବାହ୍ନ ୯ଟା ୫୨ ରେ ଗୋପାଳ ବଲ୍ଲଭ ସମ୍ପୂର୍ଣ୍ଣ ହେବା ସହ ସକାଳ ଧୂପ ଡାକିଗଲେ, ୧୧ଟା ୩୦ ରେ ସକାଳ ଧୂପ ସମ୍ପୂର୍ଣ୍ଣ, ୧୨ଟା ୫୮ ରେ ଭଣ୍ଡାରରୁ ଦୁର୍ଗା ଦେବୀ ସୋମନାଥ ମଣ୍ଡପକୁ ବିଜେ କରିଥିଲେ । ଏହାପରେ ଅପରାହ୍ନ ୩ଟା୬ ରେ ସହସ୍ର କୁମ୍ଭ ଅଭିଷେକ ସମ୍ପୂର୍ଣ୍ଣ, ୪ଟା ୩୭ରେ ଦୁର୍ଗା ମାଧବ ଆଜ୍ଞାମାଳ ପାଇ ପାଲିଙ୍କିକୁ ବିଜେ କରିଥିଲେ । ମଇଲମ ୪ଟା ୪୧, ଅପରାହ୍ନ ୫ଟା ୧୦ ରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ବେଶ ସମ୍ପୂର୍ଣ୍ଣ ହୋଇଅଛି । ୫ଟା ୨୬ ରେ ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ପୂଜା ବସିଲେ । ୫ଟା ୪୩ରେ ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ପୂଜା ସମ୍ପୂର୍ଣ୍ଣ । ୭ଟା ୪ରେ ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ପୂଜା ଓ ଆଳତି ସମ୍ପୂର୍ଣ୍ଣ ହୋଇଅଛି ଏବଂ ଭିତର କାଠ ନିକଟରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେଉଛି । ଏହାର ପରବର୍ତୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ