



ବଲାଣିର ୩ ଅକ୍ଟୋବର (ହି.ସ.)- ପ୍ରେରଣା’ର ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ତଥା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ସଂଯୋଜକ ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ‘ପ୍ରେରଣା’ର ନିରପେକ୍ଷ ସମ୍ବାଦ ପରିବେଷଣ ଶୈଳୀ , ସାମାଜିକ ସଚେତନତା ସୃଷ୍ଟି ଏବଂ ଡିଜିଟାଲ ମିଡ଼ିଆ ମାଧ୍ୟମରେ ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଂଚାଇବା କ୍ଷେତ୍ରରେ ରହିଥିବା ଅଗ୍ରଣୀ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ପ୍ରେରଣା ଖବରକାଗଜ ଲୋକ ମାନଙ୍କ ପାଇଁ ପ୍ରେରଣା ହେଉ ବୋଲି ଶ୍ରୀମତୀ ସାହୁ କହିଥିଲେ । ସମ୍ମାନିତ ଅତିଥି ଭାବରେ ଆଦିବାସୀ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଓ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପ୍ରେମଚାନ୍ଦ ମହାନ୍ତି ଯୋଗ ଦେଇ ଡିଜିଟାଲ ମିଡ଼ିଆ ର ବ୍ୟବହାର ଉପରେ ବିଭିନ୍ନ ଉପଯୋଗୀ ତଥ୍ୟ ଉପସ୍ଥାପନ କରି ଏହାର ବ୍ୟବହାରକୁ ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ସମାଜ ବିଶେଷ କରି ଶିଶୁ ମାନଙ୍କ ଉପରେ କୁପ୍ରଭାବ ପଡିବ ବୋଲି ସତର୍କ କରାଇ ଥିଲେ । ଆଜିର ଯୁଗରେ ସମ୍ବାଦପତ୍ରର ଭୂମିକା ଉପରେ ଶ୍ରୀ ମହାନ୍ତି ନିଜର ମତ ରଖିଥିଲେ। । ପ୍ରେରଣାର ସମ୍ପାଦକ ରଘୁ ନନ୍ଦନ ସିଂହ ଙ୍କ ପରିଚାଳନାରେ ଆୟୋଜିତ ସଭା ପ୍ରାରମ୍ଭରେ ଅତିଥିମାନେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ର ରେ ପ୍ରଦୀପପ୍ରଜ୍ୱଳନ ଓ ମାଲ୍ୟାର୍ପଣ କରିଥିଲେ।ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରଥିବା ବେଳେ ସନ୍ଦୀପ କୁମାର କୁଅଁର ସଭାକୁ ସଂଯୋଜନା କରିଥିଲେ ।
ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଜିଲ୍ଲା ସାମ୍ବାଦିକ ସଂଘ ର ସମ୍ପାଦକ ଦୀପକ ପୁରୋହିତ, ସାମ୍ବାଦିକ ନିରୋଜ ମିଶ୍ର ଓ ଟିଟିଲାଗଡ଼ର ଯୁବ ସାମ୍ବାଦିକ ସଞ୍ଜୟ ନାଏକ, କଳାହାଣ୍ଡି ଜିଲ୍ଲା କେସିଙ୍ଗାର ସଫଳ ଉଦ୍ୟୋଗୀ ନେପାଳ ରଣା ଙ୍କୁ ପ୍ରେରଣା ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବଲାଙ୍ଗୀରର ୫ ଜଣ ଉଷୁ ଖେଳାଳୀଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ପ୍ରେରଣା ତରଫରୁ ଏକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ଚୁମକି ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କବିତା ପାଠୋତ୍ସବରେ ସହରର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟ ମାନଙ୍କ ମଧ୍ୟରେ କବି ରତ୍ନମୟ ତ୍ରିପାଠୀ, ଶିକ୍ଷକ ରଂଜିତ ମିଶ୍ର, ସ୍ୱରୂପା ରାଣୀ ଠାକୁର, ଆକାଶ ମିଶ୍ର, ବିନୋଦ ଦୀପ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ