
ଝାରସୁଗୁଡ଼ା, ୩ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ଓ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦାବିରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଜାରି ରହିଥିବା ରିଲେ ଅନଶନ ଶନିବାର ୨୬ତମ ଦିନରେ ପହଞ୍ଚିଛି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନଶନରେ ସାମିଲ ହୋଇଥିଲା। ଛାତ୍ର ସାମ୍ମୁଖ୍ୟର ଚାରି ଦଫା ଦାବି ମଧ୍ୟରେ ଏଲ୍.ଏନ୍. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଝାରସୁଗୁଡ଼ା ଯାନ୍ତ୍ରିକ ସ୍କୁଲକୁ ଯାନ୍ତ୍ରିକ କଲେଜରେ ଉନ୍ନୀତ କରିବା, ଉପାନ୍ତ ୧୯ ଖଣ୍ଡ ମୌଜାରେ ସରକାରୀ ଡିଗ୍ରୀ କଲେଜ ପ୍ରତିଷ୍ଠା ଏବଂ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ଦାବି ରହିଛି। ଏହି ଦାବିଗୁଡ଼ିକୁ ନେଇ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୨୬ ଦିନ ଧରି ରିଲେ ଅନଶନ ଜାରି ରଖିଛନ୍ତି।
ବରିଷ୍ଠ ନାଗରିକ ସଂଘର ସଭାପତି ବାଳଗୋବିନ୍ଦ ମିଶ୍ର କହିଥିଲେ ଯେ, ଜିଲ୍ଲାରେ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ଏହି ଦାବିଗୁଡ଼ିକର ଗୁରୁତ୍ୱ ରହିଛି। ସରକାର ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ସେ କହିଥିଲେ।
ଶନିବାର ଆନ୍ଦୋଳନସ୍ଥଳରେ ଛାତ୍ରୀ ରିମଝିମ କିସାନ, ସ୍ୱାଧୀନା ନାଏକ, ଲିପ୍ସା କୁମୁରା, ପୂଜା ବାଗ, ପ୍ରୀତି ବିଶି, ସୁନିତା କିସାନ ଓ ତପସ୍ୱିନୀ ପିଙ୍ଗଙ୍କ ସମେତ ବରିଷ୍ଠ ନାଗରିକ ସଂଘର ସଭାପତି ବାଳଗୋବିନ୍ଦ ମିଶ୍ର, ଫକୀର ମୋହନ ବାରିକ, ଅକ୍ଷୟ ପଟେଲ, ସୁଶାନ୍ତ କୁମାର ପଟେଲ, ସାମାଜିକ କର୍ମୀ ବାଦଲ ଦାସ ଓ ଦେବାର୍ଚନ ଠାକୁରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ଶନିବାର ସନ୍ଧ୍ୟା ୫ଟାରେ ଜାତୀୟ ସଙ୍ଗୀତ ଗାନ ପରେ ୨୬ତମ ଦିନର ରିଲେ ଅନଶନ ସ୍ଥଗିତ ରହିଥିଲା। ରବିବାର ସକାଳ ୧୦ଟାରୁ ୨୭ତମ ଦିନର ଅନଶନ ପୁନର୍ବାର ଆରମ୍ଭ ହେବ ବୋଲି ଛାତ୍ର ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ସାମ୍ମୁଖ୍ୟର ସଭାପତି ଅସୀମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରୀୟ ଧୁରୁଆ, ଉପସଭାପତି ରବି ରୋହିଦାସ, ସମ୍ପାଦକ ନନ୍ଦୁ ରୋହିଦାସଙ୍କ ସମେତ ବହୁ ଛାତ୍ରନେତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ