ମାଲକାନଗିରିରେ ସେବା ଜ୍ୟୋତି ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି
ମାଲକାନଗିରି, ୩ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅକ୍ଟୋବର ୭ ତାରିଖରେ ଏକ ବିଶାଳ ସେବା ଜ୍ୟୋତି ଯାତ୍ରା ଏବଂ ବିକଶିତ ଭାରତ ସଂକଳ୍ପ ସଭା ଆୟୋଜିତ ହେବାକୁ ଯାଉଛି।
ଜନସେବାର ୨୫ ବର୍ଷ ପୂର୍ତ୍ତି: ମାଲକାନଗିରିରେ ସେବା ଜ୍ୟୋତି ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି


ମାଲକାନଗିରି, ୩ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅକ୍ଟୋବର ୭ ତାରିଖରେ ଏକ ବିଶାଳ ସେବା ଜ୍ୟୋତି ଯାତ୍ରା ଏବଂ ବିକଶିତ ଭାରତ ସଂକଳ୍ପ ସଭା ଆୟୋଜିତ ହେବାକୁ ଯାଉଛି। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସଫଳତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସମାଜର ପ୍ରତ୍ୟେକ ବର୍ଗଙ୍କୁ ବିକଶିତ ଭାରତ ୨୦୪୭ ସଂକଳ୍ପ ସହିତ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଅକ୍ଟୋବର ୭ ତାରିଖ ସକାଳ ୭ଟାରେ ମାଲ୍ୟବନ୍ତ ଛାତ୍ରାବାସ ପରିସରରୁ ଏହି ଯାତ୍ରା ଶୁଭାରମ୍ଭ ହୋଇ ଆଇ.ଏମ.ଏସ.ଟି. ଛକ, ବାଲିମେଳା ଛକ ଓ ମେନ୍ ରୋଡ୍ ଦେଇ ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ପରିକ୍ରମା କରିବ। ଏହି ସମାବେଶରେ ଜିଲ୍ଲାର ୭ଟି ବ୍ଲକରୁ ମୋଟରସାଇକେଲ ଶୋଭାଯାତ୍ରା ମାଧ୍ୟମରେ ପ୍ରତିନିଧିମାନେ ଆସି ପହଞ୍ଚିବେ। ଏହାସହ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ମୋ ଭାରତ ସଂଘ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସରକାରୀ ଅଧିକାରୀଙ୍କୁ ମିଶାଇ ପ୍ରାୟ ୨,୦୦୦ରୁ ଉର୍ଦ୍ଧ୍ୱ ଲୋକ ଏହି ଯାତ୍ରାରେ ଅଂଶଗ୍ରହଣ କରିବେ।

ଯାତ୍ରା ଶେଷରେ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବ। ଏହି ବିଶାଳ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂରଦର୍ଶନ ଶ୍ରାବ୍ୟ-ଦୃଶ୍ୟ ମାଧ୍ୟମରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିକଶିତ ଭାରତ ୨୦୪୭ ନିର୍ମାଣ ପାଇଁ ସମୂହ ଶପଥ ପାଠ, ବନ୍ଦେ ମାତରମ୍ ଗାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଏଥିସହିତ ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟସ୍ଥ ପାର୍କିଂ ପ୍ଲେସ୍ ରେ ଏକ ବିଶାଳ ଆକର୍ଷଣୀୟ ଝୋଟି ଅଙ୍କନ କରାଯିବ।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିବା ବେଳେ ସମସ୍ତ ବିଭାଗକୁ ସେମାନଙ୍କ ଦାୟିତ୍ୱ ବଣ୍ଟନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande