ଇତିହାସ ରଚିଲେ କୁମକୁମ ମୋହଦ, ଏସୀୟ କ୍ରୀଡ଼ାରେ ବ୍ୟକ୍ତିଗତ ରିକର୍ଭରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା
ଓକାଜାକି, ଅକ୍ଟୋବର 3 (ହି.ସ)। ଭାରତର ୧୭ ବର୍ଷୀୟ ତୀରନ୍ଦାଜ କୁମକୁମ ଅନିଲ ମୋହୋଦ ଏସିଆନ୍ ଗେମ୍ସରେ ଇତିହାସ ରଚିଛନ୍ତି। ଶନିବାର ମହିଳା ରିକର୍ଭ ବ୍ୟକ୍ତିଗତ ବର୍ଗର ସ୍ୱର୍ଣ୍ଣ ପଦକ ମୁକାବିଲାରେ କୁମକୁମ ଦକ୍ଷିଣ କୋରିଆର ଓ ୟେଜିନଙ୍କୁ ଶୁଟ୍-ଅଫ୍ରେ ୬-୫ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏ
कुमकुम मोहद


ଓକାଜାକି, ଅକ୍ଟୋବର 3 (ହି.ସ)। ଭାରତର ୧୭ ବର୍ଷୀୟ ତୀରନ୍ଦାଜ କୁମକୁମ ଅନିଲ ମୋହୋଦ ଏସିଆନ୍ ଗେମ୍ସରେ ଇତିହାସ ରଚିଛନ୍ତି। ଶନିବାର ମହିଳା ରିକର୍ଭ ବ୍ୟକ୍ତିଗତ ବର୍ଗର ସ୍ୱର୍ଣ୍ଣ ପଦକ ମୁକାବିଲାରେ କୁମକୁମ ଦକ୍ଷିଣ କୋରିଆର ଓ ୟେଜିନଙ୍କୁ ଶୁଟ୍-ଅଫ୍ରେ ୬-୫ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ସେ ଏସିଆନ୍ ଗେମ୍ସରେ ରିକର୍ଭ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ତାଙ୍କ ଏହି ବିଜୟ ଫଳରେ ଭାରତକୁ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସ ପାଇଁ ଏକ ବ୍ୟକ୍ତିଗତ କୋଟା ସ୍ଥାନ ମଧ୍ୟ ମିଳିଛି।

ଦୁଇ ତୀରନ୍ଦାଜଙ୍କ ମଧ୍ୟରେ ମୁକାବିଲା ଅତ୍ୟନ୍ତ ରୋମାଞ୍ଚକର ରହିଥିଲା ଏବଂ ପାଞ୍ଚଟି ସେଟ୍ ପରେ ସ୍କୋର ୫-୫ରେ ସମାନ ରହିଥିଲା। ଏହାପରେ ଗୋଟିଏ ତୀରର ଶୁଟ୍-ଅଫ୍ ମାଧ୍ୟମରେ ସ୍ୱର୍ଣ୍ଣ ପଦକର ନିଷ୍ପତ୍ତି ହୋଇଥିଲା। ଓ ୟେଜିନ୍ ୮ ପଏଣ୍ଟର ନିଶାନା ଲଗାଇଥିବା ବେଳେ କୁମକୁମ ଚାପ ମଧ୍ୟରେ ଚମତ୍କାର ୧୦ ପଏଣ୍ଟ ହାସଲ କରି ଐତିହାସିକ ସ୍ୱର୍ଣ୍ଣ ନିଜ ନାମରେ କରିଥିଲେ। ଉଭୟ ଫାଇନାଲିଷ୍ଟ ନିଜ ନିଜ ଦେଶ ପାଇଁ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସର ଗୋଟିଏ ଲେଖାଏଁ ବ୍ୟକ୍ତିଗତ କୋଟା ସ୍ଥାନ ମଧ୍ୟ ହାସଲ କରିଥିଲେ।

ଫାଇନାଲରେ କୁମକୁମଙ୍କ ଆରମ୍ଭ ଭଲ ହୋଇନଥିଲା। ଓ ୟେଜିନ୍ ପ୍ରଥମ ସେଟ୍କୁ ୨୯-୨୭ରେ ଜିତି ୨-୦ରେ ଅଗ୍ରଣୀ ହାସଲ କରିଥିଲେ। ଦ୍ୱିତୀୟ ସେଟ୍ ୨୯-୨୯ରେ ଡ୍ର’ ରହିବା ପରେ ଦକ୍ଷିଣ କୋରିଆର ତୀରନ୍ଦାଜ ୩-୧ରେ ଆଗୁଆ ଥିଲେ।

ଏହାପରେ କୁମକୁମ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ସେଟ୍ରେ ସେ କ୍ରମାଗତ ତିନୋଟି ୧୦ ପଏଣ୍ଟର ନିଶାନା ଲଗାଇ ୩୦ ପଏଣ୍ଟର ପର୍ଫେକ୍ଟ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଓ ୟେଜିନ୍ ୨୯ ପଏଣ୍ଟ ହାସଲ କରିଥିଲେ। କୁମକୁମ ସେଟ୍ ଜିତି ସ୍କୋରକୁ ୩-୩ରେ ସମାନ କରିଦେଇଥିଲେ। ଚତୁର୍ଥ ସେଟ୍ରେ ଓ ୟେଜିନ୍ ୨୮-୨୭ରେ ବିଜୟୀ ହୋଇ ୫-୩ରେ ଅଗ୍ରଣୀ ହାସଲ କରିଥିଲେ ଏବଂ ଟାଇଟଲଠାରୁ ମାତ୍ର ଗୋଟିଏ ସେଟ୍ ଦୂରରେ ପହଞ୍ଚିଥିଲେ। ତେବେ କୁମକୁମ ଚାପ ମଧ୍ୟରେ ଚମତ୍କାର ଧୈର୍ଯ୍ୟ ପ୍ରଦର୍ଶନ କରିଥିଲେ। ନିର୍ଣ୍ଣାୟକ ପଞ୍ଚମ ସେଟ୍ରେ ସେ ତିନୋଟି ଯାକ ତୀରରେ ୧୦-୧୦ ପଏଣ୍ଟ ହାସଲ କରି ୩୦ ପଏଣ୍ଟର ପର୍ଫେକ୍ଟ ସ୍କୋର କରିଥିଲେ। ଓ ୟେଜିନ୍ ୨୮ ପଏଣ୍ଟ ହାସଲ କରିବାରୁ ମୁକାବିଲା ୫-୫ରେ ସମାନ ହୋଇଥିଲା। ଏହାପରେ ଶୁଟ୍-ଅଫ୍ରେ କୁମକୁମ ୧୦ ପଏଣ୍ଟର ନିଖୁଣ ନିଶାନା ଲଗାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande