
କାବୁଲ, ୨ ଅକ୍ଟୋବର (ହି.ସ.)- ଆଫଗାନିସ୍ତାନର କୁନାର ଏବଂ ହେଲମଣ୍ଡ ପ୍ରଦେଶରେ ପାକିସ୍ତାନୀ ବିମାନ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି । ଆଫଗାନିସ୍ତାନର ତାଲିବାନ ସରକାର ଦାବି କରିଛନ୍ତି ଯେ, ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ନଅ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ଏଥି ସହିତ, ପାକିସ୍ତାନ କହିଛି ଯେ ଏହି ଏୟାରଷ୍ଟ୍ରାଇକ୍ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ୍ କରି କରାଯାଇଛି ଏବଂ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ୨୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଉଭୟ ପକ୍ଷର ଦାବିକୁ ସ୍ୱାଧୀନ ଭାବେ ଯାଂଚ୍ କରାଯାଇପାରି ନାହିଁ ।
ବେଲୁଚିସ୍ତାନର ଅନଲାଇନ୍ ନ୍ୟୁଜ୍ ନେଟୱାର୍କ ଦି ବେଲୁଚିସ୍ତାନ ପୋଷ୍ଟ ର ରିପୋର୍ଟ ମୁତାବକ, ଆଫଗାନିସ୍ତାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦଙ୍କ ଅନୁଯାୟୀ, ବୁଧବାର ରାତିରେ କୁନାରର ସୁଲତାନ ଜିଲ୍ଲାର ଚୋଗମ ଏବଂ ହେଲମଣ୍ଡ ର ଗାର୍ମେସର ଜିଲ୍ଲାର ସଫାରରେ ତିନୋଟି ଘରକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା । ସେ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ଘଟିଛି । ମୁଜାହିଦ୍ ପାକିସ୍ତାନର କାର୍ଯ୍ୟକଳାପକୁ ଆକ୍ରମଣ ବୋଲି କହିବା ସହିତ ଏହାର ନିନ୍ଦା କରିଥିଲେ ।
ଅନ୍ୟପକ୍ଷରେ, ପାକିସ୍ତାନର ସୂଚନା ମନ୍ତ୍ରଣାଳୟ କହିଛି ଯେ, ବିଶ୍ୱସନୀୟ ଗୁଇନ୍ଦା ତଥ୍ୟ ଆଧାରରେ ଆକାଶ ମାର୍ଗରୁ ଆକ୍ରମଣ କରାଯାଇଥିଲା ଏବଂ ଦୁଇଟି ସ୍ଥାନରେ ଆତଙ୍କବାଦୀ ଶିବିର ଓ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା । ମନ୍ତ୍ରଣାଳୟ ଅନୁଯାୟୀ, ଲକ୍ଷ୍ୟଗୁଡ଼ିକ ସଠିକ୍ ଭାବରେ ଧ୍ୱଂସ କରାଯାଇଥିଲା ଏବଂ ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ୨୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ପାକିସ୍ତାନ ଏହା ମଧ୍ୟ କହିଛି ଯେ, ଏହି ବେସ୍ ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ନଷ୍ଟ କରାଯାଇଥିଲା ଏବଂ ସାଧାରଣ ନାଗରିକଙ୍କ କ୍ଷୟକ୍ଷତି ଏଡ଼ାଇବା ପାଇଁ ସତର୍କତା ଅବଲମ୍ବନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ