ନଭେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସମସ୍ତ
ନଭେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ


ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସମସ୍ତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଲୋକଭବନ ପରିସରସ୍ଥିତ ନ୍ୟୁ ଅଭିଷେକ ହଲ୍ ର ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଏକ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏହା କହିଛନ୍ତି।

ବୈଠକରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ଲୋକଭବନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ରାଜ୍ୟପାଳ କହିଥିଲେ ଯେ, ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପରେ ଖାଲି ଥିବା ଶିକ୍ଷକ ପଦବୀଗୁଡ଼ିକ ପୂରଣ କରିବା ଏବେ ଏକ ପ୍ରମୁଖ ଆହ୍ୱାନ। ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗୋଟିଏ ଦିନରେ ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ଏବେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପାଇଁ ସ୍ପଷ୍ଟ ସମୟସୀମା ଧାର୍ଯ୍ୟ କରାଯିବା ଆବଶ୍ୟକ। ଶିକ୍ଷକ ନିଯୁକ୍ତିରେ ମେଧାକୁ ପ୍ରାଥମିକତା ଦିଆଯିବା ଉଚିତ। ଗୁଣବଲା ଓ ମେଧା ସହ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ ବୋଲି ରାଜ୍ୟପାଳ କହିବା ସହ ସର୍ବୋଲମ ଯୋଗ୍ୟତାସମ୍ପନ୍ନ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାପକ ଭାବେ ପ୍ରାର୍ଥୀଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ ଓ ଯାଂଚ କରିବା ପରିବର୍ଲେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ସାକ୍ଷାତକାର ପାଇଁ ଡାକିବାକୁ ମଧ୍ୟ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏଭଳି ପ୍ରକ୍ରିୟା ଦ୍ୱାରା କୌଣସି ଯୋଗ୍ୟ ପ୍ରାର୍ଥୀ ନିଜକୁ ବାଦ ପଡ଼ିଥିବା ଅନୁଭବ କରିବେ ନାହିଁ ଏବଂ ସାକ୍ଷାତକାର ବୋର୍ଡକୁ ଅଧିକ ପ୍ରାର୍ଥୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାର ସୁଯୋଗ ମିଳିବ ବୋଲି ସେ କହିଥିଲେ।

ଓଡ଼ିଶା ଲୋକଭବନକୁ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ ପକ୍ଷରୁ ପ୍ଲାଟିନମ୍ ସାର୍ଟିଫିକେସନ୍ ମିଳିଥିବା ଉଦାହରଣ ଦେଇ ରାଜ୍ୟପାଳ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ଗ୍ରୀନ୍ ସାର୍ଟିଫିକେସନ୍ ହାସଲ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଅଧିକାଂଶ ବିଶ୍ୱବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ସବୁଜିମା ରହିଛି ଏବଂ ଆଉ କିଛି ଅତିରିକ୍ତ ପଦକ୍ଷେପ ନେଲେ ସେମାନେ ଏହି ସାର୍ଟିଫିକେସନ୍ ହାସଲ କରିପାରିବେ ବୋଲି ସେ ମତ ଦେଇଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଆକ୍ରେଡିଟେସନ୍ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ରାଜ୍ୟପାଳ ସୂଚନା ନେଇଥିଲେ।

ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ପାଇଁ ସମାନ କାର୍ଯ୍ୟକାଳ ରହିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ। କେତେକ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ତିନି ବର୍ଷ ଥିବାବେଳେ ଅନ୍ୟ କେତେକ ବିଶ୍ୱବିଦ୍ୟାଳୟରେ ଏହା ଚାରି ବର୍ଷ ରହିଛି। କୁଳପତିମାନଙ୍କ ପାଇଁ ସମାନ କାର୍ଯ୍ୟକାଳ ରହିବା ଉଚିତ ବୋଲି ସେ କହିଥିଲେ।

ବିଶ୍ୱବିଦ୍ୟାଳୟ ପରିସରରେ ସୌର ଶକ୍ତିର ବ୍ୟବହାର ବୃଦ୍ଧି କରିବାକୁ ମଧ୍ୟ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜସ୍ୱ ପଦକ୍ଷେପରେ କିମ୍ବା ରିନ୍ୟୁଏବଲ୍ ଏନର୍ଜି ସର୍ଭିସ୍ କମ୍ପାନୀ ମଡେଲ୍ ଅଧୀନରେ ସୌର ଶକ୍ତି ଗ୍ରହଣ କରିପାରିବେ ବୋଲି ସେ ପରାମର୍ଶ ଦେଇଥିଲେ।

ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳଙ୍କ ପରାମର୍ଶକୁ ସମର୍ଥନ କରିବା ସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ପାଇଁ ସମସ୍ତ କୁଳପତିଙ୍କୁ ସ୍ପଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ କହିଥିଲେ।

ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତିର ବର୍ତମାନ ସ୍ଥିତି ଉପରେ ପ୍ରେଜେଣ୍ଟେସନ ମାଧ୍ୟମରେ ଉପସ୍ଥାପନା ପ୍ରସ୍ତୁତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande