



ସମ୍ବଲପୁର, ୦୩, ଅକ୍ଟୋବର (ହି.ସ.) - ସମାଜରେ ବରିଷ୍ଠ ନାଗରିକମାନଙ୍କ ସମ୍ମାନ, ସୁରକ୍ଷା ତଥା ଉପଯୁକ୍ତ ଯତ୍ନ ଉପରେ ଆଲୋକପାତ କରି ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ' ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ସାଧାରଣ ସଭା ପ୍ରାରମ୍ଭରୁ ବୟସ୍କ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସଚେତନତା ପାଇଁ ଯୋଗ ପ୍ରଶିକ୍ଷଣ ଓ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏହି ସମାରୋହରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମୁଖ୍ୟ ସୁକୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଡିଓ-କମ୍-ଇଓ ପ୍ରସନ୍ନ ପାତ୍ର, ଉପ-ଜିଲ୍ଲାପାଳ ଡ଼. ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌରଚନ୍ଦ୍ର ପାଣି ଏବଂ ବରିଷ୍ଠ ନାଗରିକ ପ୍ରଫୁଲ୍ଲ ହୋତା ପ୍ରମୁଖ ମଂଚାସୀନ ଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ ଯୁବପିଢ଼ିଙ୍କୁ ନୈତିକ ଶିକ୍ଷାରେ ଦୀକ୍ଷିତ ହେବା ସହ ବୃଦ୍ଧ ପିତାମାତାଙ୍କ ସମୁଚିତ ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ଆଇନଗତ ପ୍ରକ୍ରିୟାରେ ନ୍ୟାୟ ମିଳିବାରେ ବିଳମ୍ବ ହୋଇପାରେ, କିନ୍ତୁ ନୈତିକତା ଓ ଆତ୍ମସମୀକ୍ଷା ଦ୍ୱାରା ହିଁ ପାରିବାରିକ ସମସ୍ୟାର ସଠିକ୍ ସମାଧାନ ସମ୍ଭବ। ଆଜିର ଯୁବପିଢ଼ି ନିଜ ଅଧିକାର ପ୍ରତି ସଚେତନ ହେଉଥିବା ବେଳେ କର୍ତବ୍ୟ ଓ ଦାୟିତ୍ୱକୁ ଭୁଲିଯିବା ଚିନ୍ତାଜନକ। ଜୀବନର ବିଭିନ୍ନ ଆହ୍ୱାନକୁ ଅତିକ୍ରମ କରିଥିବା ବରିଷ୍ଠ ନାଗରିକମାନେ ଅଭିଜ୍ଞତାର ଗନ୍ତାଘର, ମାତ୍ର ସେମାନଙ୍କୁ ବୃଦ୍ଧାଶ୍ରମକୁ ପଠାଇଦେବା ଅତ୍ୟନ୍ତ ଦୁଃଖଦାୟକ। ପିତାମାତାଙ୍କ ପାଇଁ କେବଳ ଖାଦ୍ୟ କିମ୍ବା ଔଷଧ ଯୋଗାଇଦେଲେ ଦାୟିତ୍ୱ ସରିଯାଏ ନାହିଁ, ବରଂ ପ୍ରତିଦିନ ଅତିକମରେ ୧୦ ମିନିଟ୍ ସେମାନଙ୍କ ସହ କଥାବାର୍ତା ହୋଇ ସମୟ ବିତାଇଲେ ସେମାନେ ନିଃସଙ୍ଗତାରୁ ମୁକ୍ତି ପାଇପାରିବେ। କାର?୍ୟ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ସମାରୋହରେ ଅଂଚଳର ବହୁ ବରିଷ୍ଠ ନାଗରିକ, ବିଦ୍ୟାଳୟର ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ପିତାମାତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ବଜାୟ ରଖିବାକୁ ସଂକଳ୍ପ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ