
ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.) - କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ଓଡ଼ିଶାରେ ଶାସ୍ତ୍ରୀୟ ପାଲିର ଉତ୍କୃଷ୍ଟତା କେନ୍ଦ୍ରକୁ ମଞ୍ଜୁରୀକୁ ଉପମୁଖ୍ୟମନ୍ତ୍ରୀ ଓ
ଅନ୍ୟମାନେ ସ୍ୱାଗତ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶା
ଭାରତର ସଭ୍ୟତାଗତ ଐତିହ୍ୟକୁ ଆହୁରି ସୁଦୃଢ଼ କରୁଛି! ଓଡ଼ିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ
ଏବଂ ଭାରତର ସମୃଦ୍ଧ ଭାଷାଗତ ଐତିହ୍ୟର ସଂରକ୍ଷଣ ଦିଗରେ ଏକ ମାଇଲଖୁଣ୍ଟ। କେନ୍ଦ୍ରୀୟ
ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଶାସ୍ତ୍ରୀୟ ପାଲି ଭାଷା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା
କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଅନୁମୋଦନ ଦେଇଛି।
ଏହି କେନ୍ଦ୍ର କେବଳ ପାଳି
ଭାଷାର ଅଧ୍ୟୟନ ଓ ପ୍ରସାରକୁ ଆଗକୁ ବଢ଼ାଇବ ନାହିଁ—ଭାରତର ବୌଦ୍ଧିକ, ଆଧ୍ୟାତ୍ମିକ
ଓ ସାଂସ୍କୃତିକ ପରମ୍ପରା ସହ ଗଭୀର ଭାବେ ଜଡ଼ିତ ଏହି ଭାଷାର ସଂରକ୍ଷଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ
ଭୂମିକା ନେବ। ଏହା ସହିତ ଆମ ସଭ୍ୟତାଗତ ଜ୍ଞାନର ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର
ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଆହୁରି ସୁଦୃଢ଼ କରିବ। ଏହି ଦୂରଦର୍ଶୀ ପଦକ୍ଷେପ ସହ ଜଡ଼ିତ
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ସମସ୍ତଙ୍କୁ ମୋର ହୃଦୟରୁ ଅଭିନନ୍ଦନ। ଆସନ୍ତୁ, ଆମେ ସମସ୍ତେ ମିଶି ଆମ ଐତିହ୍ୟର ଚିରନ୍ତନ ଜ୍ଞାନ ଓ ପ୍ରଜ୍ଞାକୁ
ଭବିଷ୍ୟତ ପିଢ଼ି ପାଇଁ ଆଗକୁ ନେଇଯିବା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ । ଓଡ଼ିଶା
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ପାଲି ଭାଷା ପାଇଁ ଉତ୍କର୍ଷ କେନ୍ଦ୍ରସ୍ଥାପନା
ପାଇଁ ଅନୁମୋଦନ ମିଳିବା ଭାରତର ସମୃଦ୍ଧ ଭାଷା ଓ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଦିଗରେ ଏକ
ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏହି ପ୍ରୟାସ ସହ ଜଡ଼ିତ
ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।
ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର
ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶା କେନ୍ଦ୍ରୀୟ
ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ପାଲି ଭାଷା ପାଇଁ ଉତ୍କର୍ଷ କେନ୍ଦ୍ରପ୍ରତିଷ୍ଠାକୁ
ଅନୁମୋଦନ ମିଳିବା ଆମ ରାଜ୍ୟ ପାଇଁ ଏକ ଗର୍ବର ବିଷୟ। ଏହି ପଦକ୍ଷେପ ପାଲି ଭାଷାର ଅଧ୍ୟୟନ, ସଂରକ୍ଷଣ, ଗବେଷଣା
ଓ ପ୍ରସାରକୁ ଆହୁରି ସୁଦୃଢ଼ କରିବା ସହ ଭାରତର ସମୃଦ୍ଧ ଭାଷାଗତ ଐତିହ୍ୟର ସୁରକ୍ଷାରେ ମଧ୍ୟ
ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ।
ଉଚ୍ଚଶିକ୍ଷା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ଶିକ୍ଷା, ସଂସ୍କୃତି
ଓ ଭାଷାଗତ ଗବେଷଣା କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ! କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ
ଦ୍ୱାରା ଦେଶର ୫ଟି ଶାସ୍ତ୍ରୀୟ ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମୋଦନ
ମିଳିଛି । ତନ୍ମୋଧ୍ୟରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ 'ଶାସ୍ତ୍ରୀୟ
ପାଲି ଭାଷା ଉତ୍କର୍ଷ କେନ୍ଦ୍ର' ପ୍ରତିଷ୍ଠା ହେବା ରାଜ୍ୟ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ
। ଭାରତର ପ୍ରାଚୀନ ସଭ୍ୟତା, ବୌଦ୍ଧିକ
ଚିନ୍ତନ ଓ ଆଧ୍ୟାତ୍ମିକ ପରମ୍ପରା ସହ ଜଡ଼ିତ ପାଲି ଭାଷାର ସଂରକ୍ଷଣ ଓ ପ୍ରଚାର-ପ୍ରସାରରେ ଏହି
କେନ୍ଦ୍ର ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ । ଓଡ଼ିଶାରେ ଗଣେଷଣାଭିତ୍ତିକ ଶିକ୍ଷାକୁ
ପ୍ରୋତ୍ସାହନ ଦେଉଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟବାସୀଙ୍କ
ତରଫରୁ ଅଶେଷ ଧନ୍ୟବାଦ ।
ଗଣଶିକ୍ଷା ମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ପାଲି
ଭାଷା ପାଇଁ ଉତ୍କର୍ଷ କେନ୍ଦ୍ରପ୍ରତିଷ୍ଠାକୁ ଅନୁମୋଦନ ମିଳିବା ଆମ ରାଜ୍ୟ ଏବଂ କୋରାପୁଟ ଜିଲ୍ଲା
ପାଇଁ ଏକ ଗର୍ବର ବିଷୟ। ଏହି ପଦକ୍ଷେପ ପ୍ରାଚୀନ ମଧ୍ୟ-ଭାରତୀୟ ଆର୍ଯ୍ୟ ଭାଷା ପାଲି ଭାଷାର
ଅଧ୍ୟୟନ, ସଂରକ୍ଷଣ, ଗବେଷଣା
ଓ ପ୍ରସାରକୁ ଆହୁରି ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାର ବିକାଶ
ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । ଆଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମୋଦନ
ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା