
ଧର୍ମଶାଳା,୩ଅକ୍ଟୋବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତଗର୍ତ ବନ୍ଧଡ଼ିହ ପଂଚାୟତସ୍ଥିତ ବିଦ୍ୟାଶ୍ରୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ଭୂମିକା ଚକ୍ଷୁ ହସ୍ପିଟାଲ ଜାରକା ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେବା ମୂଳକ ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଆଖପାଖ ଅଲାଡ଼ି, ଭଗବତୀପୁର, ଜୟସିଙ୍ଗୁଡ଼ା, ଅରାବଳ, ଜନକ, କଦମପାଳ, ହରିପୁର, ଗୋଳକୁଣ୍ଡ, ଯଅଁପଡ଼ା, ନହଣ, ମହାକାଳପଡ଼ା, ବଡବାଲିକୁଦା, ସାହାପଡ଼ା, ବ୍ରହ୍ମବରଦା, ମେଣ୍ଡ ଇତ୍ୟାଦି ଗ୍ରାମରୁ ୨୦୦ରୁ ଉର୍ଦ୍ଧ ଲୋକ ଯୋଗଦେଇ ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ଭୂମିକା ଚକ୍ଷୁ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଟିମ୍ ଆସିଥିବା ଲୋକମାନଙ୍କ ଆଖିର ସୂକ୍ଷ୍ମ ପରୀକ୍ଷା କରିବା ସହ ସେମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଦେଇଥିଲେ । ପରୀକ୍ଷା ସମୟରେ ଅନେକ ବୃଦ୍ଧବୃଦ୍ଧା ଓ ସାଧାରଣ ଲୋକଙ୍କଠାରେ ମୋତିଆବିନ୍ଦୁ ରୋଗ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ ଆଗାମୀ ଦିନରେ ନିରାପଦ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ବିଶେଷ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା । ଏହି ଶିବିରର ସବୁଠାରୁ ଆକଷର୍ଣୀୟ ଦିଗ ଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନିଷ୍ଠାପର ସେବା ଓ ଶୃଙ୍ଖଳିତ ବ୍ୟବହାର । ଶିବିରକୁ ଆସିଥିବା ବୃଦ୍ଧବୃଦ୍ଧା ଓ ଅଭିଭାବକମାନଙ୍କୁ ସନ୍ମାନର ସହ ବସାଇବା, ସେମାନଙ୍କୁ ପିଇବା ପାଇଁ ଥଣ୍ଡା ପାଣି ଯୋଗାଇବା ଏବଂ ପରୀକ୍ଷା କକ୍ଷକୁ ନେବା ଆଣିବା କରିବାରେ ପିଲାମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବିଶେଷ କରି ବିଦ୍ୟାଳୟର ଛାତ୍ର ସାଇସିଦ୍ଧି ଜେନା, ନିଶିକାନ୍ତ ସାହାଣୀ ଓ ବିଷ୍ଣୁପ୍ରସାଦ ବେହେରା ପୂର୍ଣ୍ଣ ଦାୟିତ୍ୱ ସହ ଶିବିର ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଛାତ୍ରମାନଙ୍କର ଏହି ପ୍ରଶଂସନୀୟ ଓ ସମାଜସେବୀ ମନୋଭାବକୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ କତୃପକ୍ଷଙ୍କ ତରଫରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ପବିତ୍ର ଗାନ୍ଧି ଜୟନ୍ତୀ ଭଳି ଏକ ମହତ ଦିବସରେ ବିଦ୍ୟାଶ୍ରୀ ପବ୍ଲିକ ସ୍କୁଲର ଏହିପରି ଜନକଲ୍ୟାଣକାରୀ ଓ ସାମାଜିକ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ