ଝାରସୁଗୁଡ଼ାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ସମୀକ୍ଷା
District level review meeting
ଝାରସୁଗୁଡ଼ାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପଲ୍ସ ପୋଲିଓ


Jharsuguda, 31 ଅକ୍ଟୋବର (ହି.ସ.)

ନଭେମ୍ବର ୨୨ରେ ଜାତୀୟ ପଲ୍ସ ପୋଲିଓ ଅଭିଯାନ

୪୧ ହଜାର ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇବାକୁ ଲକ୍ଷ୍ୟ

ଝାରସୁଗୁଡ଼ା, ୩୧/୧୦: ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ସହ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାକୁ ପ୍ରଶାସନ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏନେଇ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମାତୃ, ନବଜାତ, ଶିଶୁ, କିଶୋର ଓ ପୁଷ୍ଟି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରଏମଏନସିଏଏଚଏନ) ଏବଂ ଆଗାମୀ ଜାତୀୟ ପଲ୍ସ ପୋଲିଓ ଅଭିଯାନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ନାୟକଙ୍କ ସମେତ ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ସୁରକ୍ଷିତ ପ୍ରସବ, ଗର୍ଭବତୀ ମହିଳାଙ୍କ ଉପଯୁକ୍ତ ଯତ୍ନ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବିଶେଷକରି ଅଧିକ ବିପଦ ଥିବା ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ଯାଞ୍ଚ କରିବା ସହ ନିୟମିତ ତଦାରଖ ଓ ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ଗର୍ଭାବସ୍ଥାର ୨୮ ସପ୍ତାହରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ପ୍ରତ୍ୟେକ ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିପଦପୂର୍ଣ୍ଣ ଲକ୍ଷଣକୁ ଠିକ୍ ସମୟରେ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ଓ ସୁରକ୍ଷିତ ପ୍ରସବ ସୁନିଶ୍ଚିତ କରିବାକୁ କୁହାଯାଇଥିଲା।

ସେହିପରି ଗର୍ଭବତୀ ମହିଳାଙ୍କ ପୁଷ୍ଟିସାଧନ ଉପରେ ଧ୍ୟାନ ଦେବା ସହ ଗୁରୁତର ଅପପୁଷ୍ଟିରେ ପୀଡ଼ିତ ଯୋଗ୍ୟ ଶିଶୁଙ୍କୁ ପୁଷ୍ଟି ପୁନର୍ବାସ କେନ୍ଦ୍ର (ଏନଆରସି)ରେ ଭର୍ତ୍ତି କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହାଦ୍ୱାରା କେନ୍ଦ୍ରରେ ଉପଲବ୍ଧ ଶଯ୍ୟାର ଉପଯୁକ୍ତ ବ୍ୟବହାର ସହ ଶିଶୁଙ୍କ ପୁଷ୍ଟି ସ୍ଥିତିରେ ସୁଧାର ଆସିପାରିବ ବୋଲି ସେ କହିଥିଲେ।

ବୈଠକରେ ଆସନ୍ତା ନଭେମ୍ବର ୨୨ ତାରିଖରେ ହେବାକୁ ଥିବା ଜାତୀୟ ପଲ୍ସ ପୋଲିଓ ଟିକାକରଣ ଅଭିଯାନର ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଅଭିଯାନରେ ଜିଲ୍ଲାର ୦ରୁ ୫ ବର୍ଷ ବୟସର ପ୍ରାୟ ୪୧ ହଜାର ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇବାକୁ ଲକ୍ଷ୍ୟ ରଖାଯାଇଛି।

କୌଣସି ଯୋଗ୍ୟ ଶିଶୁ ଯେପରି ଟିକାକରଣରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଶିଳ୍ପସଂସ୍ଥା, ବେସରକାରୀ ବିଦ୍ୟାଳୟ, ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟ ସମସ୍ତ ଅଂଶୀଦାରଙ୍କ ସହଯୋଗ ନେବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ସମସ୍ତ ବିଭାଗର ସମନ୍ୱିତ ଉଦ୍ୟମ ଓ ସକ୍ରିୟ ସହଯୋଗ ମାଧ୍ୟମରେ ଅଭିଯାନକୁ ଶତପ୍ରତିଶତ ସଫଳ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande