
ଯୋଗଦେଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର
କେନ୍ଦ୍ରାପଡ଼ା, ୩୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡାରୀ ଗ୍ରାମରେ ଚଳିତ ବର୍ଷ ବହୁ ଆଡ଼ମ୍ବର ଓ ଭକ୍ତିଭାବ ସହକାରେ ପାଳିତ ହୋଇଯାଇଛି ଧନଦାତ୍ରୀ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ। ଦୀର୍ଘ ୭୩ ବର୍ଷର ଏହି ପୁରାତନ ପୂଜା ଅନୁଷ୍ଠାନର ପରମ୍ପରା ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୂଜାର ପ୍ରଥମ ଦିନରେ କୀର୍ତନ, ଘଂଟ ଓ ଶଙ୍ଖଧ୍ୱନିର ପ୍ରକମ୍ପିତ ପରିବେଶ ଭିତରେ ଗ୍ରାମ ପରିକ୍ରମା କରାଯାଇ ପବିତ୍ର ଚିତ୍ରୋତ୍ପଳା ନଦୀରୁ କଳସ ଅଣାଯାଇଥିଲା। ପୂଜା ମଣ୍ଡପରେ ଘଟ ସ୍ଥାପନ ପୂର୍ବକ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ମାଆଙ୍କ ଆବାହନ କରାଯାଇଥାଏ। ପ୍ରତେକ ଦିନର ପୂଜାବିଧି ସାଙ୍ଗକୁ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ମହାପ୍ରସାଦ ସେବନ ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ବିଶେଷକରି, ଗତ ଗୁରୁବାର ସକାଳେ ଗ୍ରାମର ଶହ ଶହ ମାଆ, ଝିଅ ଓ ବୋହୂମାନେ ମଣ୍ଡପରେ ଏକାଠି ହୋଇ ଲକ୍ଷ୍ମୀ ପୁରାଣ' ପାଠ କରିବା ସମଗ୍ର ଅଂଚଳରେ ଏକ ଦିବ୍ୟ ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା।ଏହି ପୂଜା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଜନନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ମହାପାତ୍ର ଯୋଗଦେଇ ଅଂଚଳବାସୀଙ୍କ କଲ୍ୟାଣ ନିମନ୍ତେ ମାଆ ଲକ୍ଷ୍ମୀଙ୍କ ବୀଜମନ୍ତ୍ର ଉଚ୍ଚାରଣ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ। କମିଟିର କର୍ମକର୍ତା ଓ ଉପସ୍ଥିତ ଭକ୍ତମାନେ ହରିବୋଲ ଓ ହୁଳହୁଳି ଦେଇ ଶ୍ରୀ ମହାପାତ୍ରଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ପରେ ଶ୍ରୀ ମହାପାତ୍ର ମଣ୍ଡପ ପରିଦର୍ଶନ କରି ଏହାର ଆଗାମୀ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ବେଡାରୀ ଗ୍ରାମର ଏହି ଗଜଲକ୍ଷ୍ମୀ ପୂଜା ସମସ୍ତଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଆଣିଥାଏ । କମିଟିର ସଭାପତି ବିପିନ ବିହାରୀ ସାହୁ, ଉପ ସଭାପତି ଅଜୟ କୁମାର ସାହୁ, ସମ୍ପାଦକ ମାନସ କୁମାର ଦାସ ଏବଂ ପୂର୍ବତନ ସଭାପତି ଗୋକୁଳାନନ୍ଦ ବେହେରା, ଚିତରଞ୍ଜନ ସାହୁ, ପ୍ରଫୁଲ୍ଲ ମହାରଣା, ଧୀରେନ ବେହେରା, ଦେବେନ୍ଦ୍ର ପରିଜା, ରମେଶ ଚନ୍ଦ୍ର ଖୁଂଟିଆ, ଧ୍ରୁବ ଚରଣ ସାହୁଙ୍କ ସମେତ ଗ୍ରାମର ବହୁ ଯୁବକ ଓ ମହିଳା ଏହି ସଫଳ ଆୟୋଜନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥାଆନ୍ତି। ଏହି ଅବସରରେ ପାଟକୁରାର ବିଧାୟକଙ୍କ ପ୍ରତିନିଧି କ୍ଷିତିଶ ଚନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ, ପାଟକୁରା ବିଧାୟକଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ସୁକାନ୍ତ ଦ୍ୱିବେଦୀ, ସମିତି ସଭ୍ୟ ଦିଲ୍ଲୀପ ସାହୁ, ସରପଂଚଙ୍କ ପ୍ରତିନିଧି ଗଙ୍ଗାଧର ମିଶ୍ର, ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ପାଟକୁରା ସରପଂଚଙ୍କ ପ୍ରତିନିଧି ଶୈଳେନ୍ଦ୍ର ମହାନ୍ତି, କ୍ଷୀରୋଦ ମହାନ୍ତି, ସାମ୍ବାଦିକ ମୁକ୍ତେଶ୍ୱର ସ୍ୱାଇଁ ଓ ନଗେନ ସ୍ୱାଇଁ ପ୍ରମୁଖ ବହୁ ବିଜୟପ୍ରେମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମଣ୍ଡପରେ ପହଂଚି ମାଆଙ୍କ କୃପାଲାଭ କରିବା ସହ ପ୍ରସାଦ ସେବନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି