
କେନ୍ଦ୍ରାପଡ଼ା, ୩୧ ଅକ୍ଟୋବର(ହି.ସ.) – ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲାରେ ମା ଗଜଳକ୍ଷ୍ମୀଙ୍କ ଉପାସନା ଏବେ ବାର୍ଷିକ ଗଣପର୍ବରେ ରୁପାନ୍ତରିତ ହୋଇସାରିଛି। କୁମାରପୁର୍ଣ୍ଣୀମାରୁ ଆରମ୍ଭ ହୋଇ ଏହି ଗଣପର୍ବ ସାତଦିନ ବ୍ୟାପି ଅନୁଷ୍ଠିତ ହୋଇଛି। ଚଳିତବର୍ଷ ମଧ୍ୟ ଏହି ପାରମ୍ପରିକ ଗଣପର୍ବ ବେଶ ଧୁମଧାମରେ ପାଳନ କରାଯାଇଛି। ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏବଂ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ଅଧଘଂଟିଆ ଟେଲିଭିଜନ ଡକୁମେଂଟାରୀ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି “ଜୟ ମା ଗଜଲକ୍ଷ୍ମୀ”। ଏହି କାର୍ୟ୍ୟକ୍ରମରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ମାଗଜଲକ୍ଷ୍ମୀଙ୍କ ଉପାସନାର ଉଦେଶ୍ୟ, ଆଭିମୁଖ୍ୟ ତଥା ଉପାସନାର ପ୍ରାଚୀନତା ଉପରେ ଆଲୋକପାତ କରାଯାଇଛି। କାର୍ଯ୍ୟକ୍ରମରେମାଙ୍କର ଘଟସ୍ଥାପନା, ଆବାହନ, ମଣ୍ଡପ ପୂଜା, ପାରମ୍ପରିକ ସାଂସ୍କୃତିକ କାର୍ୟ୍ୟକ୍ରମ,ମନୋରଂଜନ କାର୍ୟ୍ୟକ୍ରମ ସହ ଗଣପର୍ବର ମୌଳିକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ବାର୍ଷିକ ଗଣପର୍ବ ଦେଖିବା ପାଇଁ କେନ୍ଦ୍ରାପଡା ଜିଲା ଓ ରାଜ୍ୟବାହାରୁ ଦର୍ଶକ ମାନଙ୍କ ଆଗମନ ହୋଇଥିଲା। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ରାଜ୍ୟର ପ୍ରମୁଖ ଆଧ୍ୟାତ୍ମିକ ଗଣପର୍ବରେ ପରିବର୍ତୀତ ହୋଇଛି। ମା ଗଜଲକ୍ଷ୍ମୀଙ୍କ ଭକ୍ତଙ୍କ ଭାବାବେଗ ତଥା ଜିଲାବାସୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏବଂ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ମିଳିତ ସହଯୋଗରେ ପ୍ରସ୍ତୁତ ଏହି ଅଧଘଂଟିଆ ଟେଲିଭିଜନ ଡକୁମେଂଟାରୀ କାର୍ୟ୍ୟକ୍ରମରେ ଗଜଲକ୍ଷ୍ମୀ ପୂଜା ଆରମ୍ଭରୁ ଶେଷ ଯାଏଁ ଅର୍ଥାତ ସମସ୍ତ ପୂଜାମଣ୍ଡପର ଆକର୍ଷଣୀୟ ସାଜସଜା, ମୃଣ୍ମୟୀମୁର୍ତୀ ଆରାଧନା ତଥା ଅନ୍ୟାନ୍ୟ ଆନୁସଂଗିକ କାର୍ଯ୍ୟକ୍ରମ ସ୍ଥାନ ପାଇଛି। ନଭେମ୍ବର ୧ ତାରିଖ ରବିବାର ଅପରାହ୍ନ ୪ଟାରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ଡି.ଡି ଓଡିଆ(ଦୂରଦର୍ଶନ ଓଡିଆ) ଚ୍ୟାନେଲରେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ଉପରେ ସ୍ୱତନ୍ତ୍ର ଉପସ୍ଥାପନା,“ଜୟମା ଗଜଲକ୍ଷ୍ମୀ”ର ପ୍ରସାରଣ କରାଯିବ ବୋଲି ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି