
କେନ୍ଦ୍ରାପଡ଼ା, ୩୧ ଅକ୍ଟୋବର(ହି.ସ.) – ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶର ଅଖଣ୍ଡତା, ସଂହତି ଓ ଏକତାକୁ ସୁଦୃଢ଼ କରିବା ସହ ଜାତୀୟ ଐକ୍ୟ ଓ ଭାଇଚାରାର ଭାବନାକୁ ଅଧିକ ମଜବୁତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜାତୀୟ ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ନିମନ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ। ସେହିପରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରି ଦେଶର ଏକତା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଓ କର୍ତବ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଡିଏସପି(ଭିଜିଲାନ୍ସ) ଭାଗ୍ୟଲକ୍ଷ୍ମୀ ପୁହାଣ, ଡେପୁଟି କଲେକ୍ଟର ଶୁଭଦର୍ଶିନୀ ଦାସ, ଚିନ୍ମୟୀ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସାମୂହିକ ଭାବେ ଶପଥ ଗ୍ରହଣ କରିଥିଲେ।ଜାତୀୟ ଏକତା ଦିବସ ପାଳନ ମାଧ୍ୟମରେ ଦେଶର ଏକତା, ସାମ୍ପ୍ରଦାୟିକ ସଦ୍ଭାବନା, ଶାନ୍ତି ଓ ଭାଇଚାରାର ବାର୍ତା ପ୍ରସାର କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି