

ପୁରୀ, ୩୧ ଅକ୍ଟୋବର (ହି.ସ.)- ଶ୍ରୀଜଗନ୍ନାଥ ଧାମରେ ବସବାସ କରୁଥିବା ନାଗରିକମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନକୁ ସରଳ ଓ ସୁଲଭ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ସଚେତନତା ପଦଯାତ୍ରା ଆଜି ୨୧୪ ଦିନ ଅତିକ୍ରମ କରିଛି। ପୁରୀବାସୀଙ୍କ ପାଇଁ ପୂର୍ବଭଳି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରଚଳନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ୧ ଏପ୍ରିଲ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦର ଧାରା ଏବେ ମଧ୍ୟ ଅବିଚ୍ଛିନ୍ନ ରହିଛି। ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇ ପଦଯାତ୍ରୀମାନେ ନିଜର ମତ ଓ ଦାବିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଛନ୍ତି। ଦୀର୍ଘ ସାତ ମାସରୁ ଉର୍ଦ୍ଧ୍ବ ସମୟର ଏହି ପଦଯାତ୍ରା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ଉତ୍ସାହ କମିନାହିଁ। ପ୍ରତିକୂଳ ପରିସ୍ଥିତି ଓ ଦୀର୍ଘ ଅପେକ୍ଷା ମଧ୍ୟରେ ମଧ୍ୟ ଦାବି ପୂରଣ ହେବାର ଆଶା ନେଇ ସେମାନେ ଆଗକୁ ବଢୁଛନ୍ତି।
ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡାଙ୍କ ମତରେ, ପୁରୀବାସୀଙ୍କ ଧାର୍ମିକ ଭାବନା ଓ ଦୀର୍ଘଦିନର ଆକାଂକ୍ଷାକୁ ପ୍ରଶାସନ ଅଣଦେଖା ନକରି ଏହାର ସମାଧାନ ପାଇଁ ଆଗେଇ ଆସିବା ଉଚିତ। ସ୍ଥାନୀୟ ଲୋକଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସହଜ, ସ୍ଥାୟୀ ଏବଂ ଆତ୍ମସମ୍ମାନର ସୁରକ୍ଷା କରୁଥିବା ବ୍ୟବସ୍ଥା ହେବା ଆବଶ୍ୟକ। ଏହି ଦାବି ଉପରେ ସକାରାତ୍ମକ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଚାଲୁ ରହିବ।ଆଜିର ଏହି ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ନୃସିଂହନାଥ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଅରୁଣା ପଟ୍ଟନାୟକ, ବନିତା ଦୀକ୍ଷିତ, ଅଞ୍ଜୁବାଳା ମହାନ୍ତି, ଭାରତୀ ମହାନ୍ତି, ସୀତା ନାୟକ, ଟିକି, ଶିଲା କିନ୍ନର, ମମତା ସ୍ୱାଇଁ, ଅଭିମନ୍ୟୁ ରାୟଗୁରୁ, କିଶୋର ଚନ୍ଦ୍ର ଦାସ, ଯାଦବାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ବରୁଣ ମହାପାତ୍ର, ସନ୍ତୋଷ ସେନାପତି, ବାପିନା ସାମନ୍ତରାୟ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ରହି ଅଭିଯାନକୁ ସମର୍ଥନ ଜଣାଇଥିଲେ।
୨୧୪ ଦିନର ଏହି ନିରନ୍ତର ପ୍ରୟାସ ଏକ ବାର୍ତ୍ତା ଦେଉଛି ଯେ, ନ୍ୟାୟସଙ୍ଗତ ଦାବି ପାଇଁ ଧୈର୍ଯ୍ୟ, ଏକତା ଓ ଅହିଂସାର ଶକ୍ତି ହିଁ ସବୁଠାରୁ ବଡ଼ ଆଧାର। ପୁରୀବାସୀଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଜନଜାଗରଣ ଅଭିଯାନ ଜାରି ରହିବ।
ହିନ୍ଦୁସ୍ଥାନ ସମାଚାର / ବିଜୟ