
କେନ୍ଦୁଝର, 31 ଅକ୍ଟୋବର (ହି.ସ.)
ଭାରତର ଲୌହମାନବ ତଥା ମହାନ ଜାତୀୟ ନେତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଶୁକ୍ରବାର କେନ୍ଦୁଝର ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଦେଶର ଏକତା ଓ ଅଖଣ୍ଡତା ରକ୍ଷା ଦିଗରେ ସର୍ଦ୍ଦାର ପଟେଲଙ୍କ ଅବିସ୍ମରଣୀୟ ଅବଦାନକୁ ଏହି ଅବସରରେ ସ୍ମରଣ କରାଯାଇଥିଲା।
ଏହି ଅବସରରେ ଜାତୀୟ ଏକତା, ଅଖଣ୍ଡତା ଓ ସଂହତିର ବାର୍ତ୍ତା ପ୍ରସାର ନିମନ୍ତେ କେନ୍ଦୁଝରଠାରେ ଏକତା ପଦଯାତ୍ରା ଆୟୋଜିତ ହୋଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପଦଯାତ୍ରାରେ ଶତାଧିକ ଅଂଶଗ୍ରହଣକାରୀ ସାମିଲ ହୋଇ ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରଦାନ କରିଥିଲେ।
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପଦଯାତ୍ରାର ଶୁଭାରମ୍ଭ କରିବା ସହ ଅଂଶଗ୍ରହଣକାରୀମାନଙ୍କୁ ଜାତୀୟ ଏକତା, ଭାଇଚାରା ଓ ସାମାଜିକ ସଦ୍ଭାବନା ବଜାୟ ରଖିବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସରୋଜ ମଲ୍ଲିକ, ସହକାରୀ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଏହି ପଦଯାତ୍ରା ମାଧ୍ୟମରେ ଭାରତର ସ୍ୱାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକର ଭାରତୀୟ ସଂଘରେ ମିଶ୍ରଣ ଏବଂ ଏକ ଶକ୍ତିଶାଳୀ ଓ ସଂଗଠିତ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଐତିହାସିକ ଭୂମିକାକୁ ସ୍ମରଣ କରାଯାଇଥିଲା। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟ ସଂହତି, ସାମାଜିକ ସଦ୍ଭାବନା ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଯୋଗଦାନ ପାଇଁ ପ୍ରେରିତ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପଦଯାତ୍ରା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଉପସ୍ଥିତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରାଇଥିଲେ। ସମସ୍ତେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ନାଗରିକମାନଙ୍କ ମଧ୍ୟରେ ଭାଇଚାରା, ସଦ୍ଭାବନା ଓ ସହନଶୀଳତାର ଭାବନାକୁ ସୁଦୃଢ଼ କରିବା ପାଇଁ ଶପଥ ନେଇଥିଲେ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ଗଠନରେ ଅତୁଳନୀୟ ଅବଦାନ ଓ ଏକ ଶକ୍ତିଶାଳୀ, ସଂଗଠିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ଦାୟିତ୍ୱକୁ ଏହି ରାଷ୍ଟ୍ରୀୟ ଏକତା ଦିବସ ପାଳନ ପୁନର୍ବାର ସ୍ମରଣ କରାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA