
କେନ୍ଦ୍ରାପଡ଼ା, ୩୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ବିଭିନ୍ନ ମଣ୍ଡପରେ ମୃଣ୍ମୟୀ ମୂର୍ତିମାନଙ୍କର ପୂଜା ହେବା ସହ ଆଜି ସମସ୍ତ ମଣ୍ଡପରେ ବିସର୍ଜନ ପୂଜା ଆରମ୍ଭ ହୋଇଯାଇଛି। ଆଜି ରାତ୍ରି ସୁଦ୍ଧା ସମସ୍ତ ଦେବା ଦେବୀଙ୍କର ବିସର୍ଜନ ପୂଜା ଅନ୍ତେ ଆସନ୍ତାକାଲି ଓ ପହରଦିନ ମେଲଣ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ସହରରେ ଶତାଧିକ ମୂର୍ତି ବିଭିନ୍ନ ମଣ୍ଡପରେ ପୂଜା ପାଉଥିବାବେଳେ ଜିଲ୍ଲା ପ୍ରଶାସନ ନିକଟରେ ୬୮ଟି ମେଢ଼ ପଞ୍ଜିକୃତ ହେଇଛି। ସେଥିମଧ୍ୟରୁ ୪୯ଟି ମେଢ ମେଳଣ ଓ ଭସାଣୀ ଉତ୍ସବରେ ଶୋଭାଯାତ୍ରାରେ ଭାଗ ନେବେ। ଏହି ମେଢମାନଙ୍କ ମଧ୍ୟରେ ଗଜଲକ୍ଷ୍ମୀ, ରାଧାକୃଷ୍ଣ, ଶନିଲକ୍ଷ୍ମୀ, ନବଗୁଞ୍ଜର, ଗଙ୍ଗା ଭଗିରଥ, ବ୍ୟାସ ସରୋବର, ରାମସୀତା, ରୋହିଣୀ ଗାଈ, ନୃସିଂହ ଅବତାର, ଦ୍ରୌପଦୀ ବସ୍ତ୍ରହରଣ, ମହାବୀର ହନୁମାନ ପ୍ରଭୃତି ମୂର୍ତିମାନ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଣା ବସଷ୍ଟାଣ୍ଡ ମେଲଣ ପଡ଼ିଆରୁ କେଶପୁର ଆଡ଼କୁ ୨୨ଟି ମେଢ ଶୋଭାଯାତ୍ରାରେ ପ୍ରସ୍ଥାନ କରିବାକୁ ଥିବାବେଳେ ପୁରୁଣା ବସ୍ଷ୍ଟାଣ୍ଡରୁ ନୂଆ ବସ୍ଷ୍ଟାଣ୍ଡ ଆଡ଼କୁ ୨୭ଟି ମେଢ ବସାଣୀ ଉତ୍ସବରେ ଭାଗ ନେବେ। ଏହି ୪୯ଟି ମେଢର କ୍ରମ ପ୍ରସ୍ଥାନ ପାଇଁ ପ୍ରଶାସନ ପକ୍ଷରୁ ଲଟେରୀ ମାଧ୍ୟମରେ କ୍ରମ ସ୍ଥିର କରାଯାଇଛି। ତେବେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ ଶତାବ୍ଦୀ ପୁରଣ ହେଉଥିବାରୁ ମହା ଆଡ଼ମ୍ବର ଓ ଉତ୍ସାହ ମଧ୍ୟରେ ସମ୍ପୂର୍ଣ୍ଣ ସହର ସୁଦୃଶ୍ୟ ତୋରଣ, ଉଜ୍ଜ୍ୱଳ ଆଲୋକସଜ୍ଜା ମଧ୍ୟରେ ପାଳନ କରାଯାଉଥିବାବେଳେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଶେଷ ୪ ଦିନ ପାଗ ବିପରୀତ ରହିଛି। ତୁହାକୁ ତୁହା ବର୍ଷା, ପ୍ରଶାସନର ସଚେତନତା ଓ ବାତ୍ୟା ଆଶଙ୍କାରେ ଲୋକମାନଙ୍କ ମଧ୍ୟରେ ଥିବା ଉତ୍ସାହ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ତଥାପି ପାଗ ଟିକିଏ ଅନୁକୂଳ ହେବାମାତ୍ରେ ସହର ସାରା ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ପୌରସଂସ୍ଥା ପକ୍ଷରୁ ସହରର ପ୍ରବେଶ ପଥ ଦୁହୁରିଆ ନିକଟରେ ଗଣପର୍ବ ଗଜଲକ୍ଷ୍ମୀ ପୂଜାର ଶତାବ୍ଦୀ ପୁରଣ ଉପଲକ୍ଷେ ଏକ ସୁଦୃଶ୍ୟ ସ୍ୱାଗତ ତୋରଣ କରାଯାଇଛି। ଏହାସହ ସ୍ୱଚ୍ଛତାର ବାର୍ତା ପ୍ରଦର୍ଶନ କରାଯାଇ ଥିବାବେଳେ ସ୍ୱଚ୍ଛ କର୍ମୀମାନଙ୍କ ଦ୍ୱାରା ଅଳିଆ, ଆବର୍ଜନା ଓ ବର୍ଜ୍ୟ ବସ୍ତୁଗୁଡ଼ିକୁ ତୁରନ୍ତ ସଫେଇ କରା ଯିବାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ, ଏକପାଖିଆ ରସ୍ତା, ଗହଳି ସ୍ଥାନମାନଙ୍କରେ ଅସାମାଜିକମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖାଯିବା ସହ ଅସ୍ଥାୟୀ କଂଟ୍ରୋଲ ରୁମ୍ ଖେଲାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି