
ପୁରୀ, ୦୪ ଅକ୍ଟୋବର (ହି.ସ.) - ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡି ଗ୍ରାମରେ ବୈଠକ ଚାଲିଥିବା ବେଳେ ହଠାତ ୪ ରାଉଣ୍ଡ ଗୁଳି ମାଡ ହୋଇଛି । ଗୁଳି ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ରେବଣା ନୂଆଗାଁ ପରେ ପୁରୀ ମେଡିକାଲ ରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗାଁ ମନ୍ଦିର ପାଖରେ ଦିନ ୧୧ ଟା ବେଳେ ଏକ ବୈଠକ ଚାଲିଥିଲା । ବୈଠକରେ ବୁଲୁ ପାହାଳକୁ ଏକ ରାଜନୈତିକ ଦଳରେ ମିଶାଇବା ପାଇଁ ଆଲୋଚନା ଚାଲିଥିଲା । ଏହି ସମୟରେ ବୁଲୁ ପାହଳର ଦାଦା ପୁଅ ତୋଫାନ ପାହଳ ସହିତ ଯୁକ୍ତିତର୍କ ପରେ ହଠାତ ବୁଲୁ ତୋଫାନ ଉପରକୁ ୪ ରାଉଣ୍ଡ ଗୁଳିମାଡ କରିଥିଲା । ଏଥିରେ ତୋଫାନ ଗୁରୁତର ହୋଇଥିଲା । ରାଜନୈତିକ କାରଣରୁ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି । ବୁଲୁର ଗ୍ରାମ ନିକଟରେ ଥିବା ମଙ୍ଗଳା ରାଇସ ମିଲକୁ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ ସିଜ କରିଛନ୍ତି । ଘଟଣା ସ୍ଥଳରେ ଏସପି ପ୍ରତୀକ ସିଂ, ଅତିରିକ୍ତ ଏସପି ସୁଶୀଲ ମିଶ୍ର, ସଦର ଏସଡିପିଓ ମାନସ ରଞ୍ଜନ ବାରିକ, ୪ଟି ଥାନାର ଆଇଆଇସି ତଦନ୍ତ ଆରମ୍ଭ କରିଛନ୍ତି । ଏକ ପ୍ଲାଟୁନ ପୋଲିସ ଫୋର୍ସ ଗ୍ରାମରେ ମୁତୟନ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ