
ଭୁବନେଶ୍ୱର, ୪ ଅକ୍ଟୋବର (ହି.ସ.) ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୨୦୨୫–୨୬ ଆର୍ଥିକ ବର୍ଷରେ ଟିକେଟ ଯାଞ୍ଚ ମାଧ୍ୟମରେ ସର୍ବାଧିକ ରାଜସ୍ୱ ଆଦାୟ କରିଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ଅବଦାନ, କର୍ତ୍ତବ୍ୟନିଷ୍ଠା ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଖୋର୍ଦ୍ଧାରୋଡ଼ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଅନିଲ କୁମାର ଏସ୍. ସମ୍ବର୍ଦ୍ଧିତ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇ ଟିକେଟ ଯାଞ୍ଚ କାର୍ଯ୍ୟରେ ସେମାନଙ୍କ ନିଷ୍ଠା, ସଚ୍ଚୋଟତା ଓ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ମଣ୍ଡଳ ରେଳ ପ୍ରବନ୍ଧକ ଡି. ସୁନୀଲଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କର୍ମଚାରୀମାନଙ୍କୁ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଅନିଲ କୁମାର ଏସ୍. କହିଥିଲେ ଯେ, ଟିକେଟ ଯାଞ୍ଚ ଦଳର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ମଣ୍ଡଳର ରାଜସ୍ୱ ସୁଦୃଢ଼ୀକରଣରେ ଗୁରୁତ୍ୱପୂର୍ଣ୍ଣ। ଯାତ୍ରୀ ସେବାର ମାନ ବୃଦ୍ଧି ସହ ନିରାପଦ ଓ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ଦିଗରେ ମଣ୍ଡଳର ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
ସମ୍ବର୍ଦ୍ଧିତ କର୍ମଚାରୀମାନଙ୍କୁ ଭବିଷ୍ୟତରେ ମଧ୍ୟ ସମାନ ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ସହ କାର୍ଯ୍ୟ କରି ମଣ୍ଡଳର ସଫଳତାରେ ଅଧିକ ଅବଦାନ ରଖିବାକୁ ପ୍ରେରିତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ