
ବଲାଙ୍ଗିର, ୦୪ ଅକ୍ଟୋବର (ହି.ସ.) - ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର-୨୦୨୬) ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ବର୍ତମାନର ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ସାମିଲ କରାଇବାର ସୁଯୋଗ ଅବ୍ୟାହତ ରହିଛି। ଏଥିପାଇଁ ଯୋଗ୍ୟ ନାଗରିକମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ।
ଏସ୍ଆଇଆର୍ ସମୟରେ ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ କୌଣସି କାରଣରୁ ଭୋଟର ତାଲିକାରୁ ବାଦ ପଡ଼ିଥାଏ, ତେବେ ପୁନର୍ବାର ନାମ ସାମିଲ କରାଇବା ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବା ଆବଶ୍ୟକ ହେବ ନାହିଁ। ସେହିପରି, ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମାଆଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ ମଧ୍ୟ ଦାଖଲ କରିବାକୁ ପଡ଼ିବ ନାହିଁ। ଏ ସମ୍ପର୍କିତ ଅତିରିକ୍ତ ଘୋଷଣାନାମାକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଫର୍ମ-୬ରୁ ହଟାଇ ଦେଇଛନ୍ତି। ଏହା ଫଳରେ ଏସ୍ଆଇଆର-୨୦୨୬ ପରେ ଭୋଟର ତାଲିକାରେ ନାମ ସାମିଲ କରାଇବାକୁ ଇଚ୍ଛୁକ ଯୋଗ୍ୟ ନାଗରିକମାନେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ଅତିରିକ୍ତ ତଥ୍ୟ କିମ୍ବା ଘୋଷଣାନାମା ବିନା ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ଦାଖଲ କରିପାରିବେ।
ତେବେ, କେବଳ ଫର୍ମ-୬ ଦାଖଲ କରିବା ଦ୍ୱାରା ଆବେଦନକାରୀଙ୍କ ନାମ ସ୍ୱତଃସ୍ଫୂର୍ତ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ। ନାମ ସାମିଲ ପୂର୍ବରୁ ଆବେଦନକାରୀଙ୍କ ଯୋଗ୍ୟତା ଏବଂ ଆବେଦନରେ ଦିଆଯାଇଥିବା ତଥ୍ୟର ନିର୍ଦ୍ଧାରିତ ଯାଂଚ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ। ସମ୍ପୃକ୍ତ ନିର୍ବାଚନ କର୍ତୃପକ୍ଷ ଆବେଦନରେ ଦିଆଯାଇଥିବା ତଥ୍ୟ ଏବଂ ଆବଶ୍ୟକୀୟ ଦସ୍ତାବିଜ ଯାଂଚ କରିବା ପରେ ଆଇନ ଓ ନିର୍ଦ୍ଧାରିତ ନିୟମ ଅନୁଯାୟୀ ନାମ ଅନ୍ତର୍ଭୁକ୍ତ ସମ୍ପର୍କରେ ନିଷ୍ପତି ନେବେ। ଯାଂଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରି କୌଣସି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ନାହିଁ।
ଏଥିସହିତ, ଫର୍ମ-୬ ମାଧ୍ୟମରେ ନାମ ସାମିଲ କରିବାର ସାଧାରଣ ବ୍ୟବସ୍ଥା ଅବ୍ୟାହତ ରହିଛି। ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଏବଂ ଏହାର ଶୁଦ୍ଧତା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ଭାବେ ପଞ୍ଜୀକରଣର ସୁଯୋଗ ଦେବା ଉଦ୍ଦେଶ୍ୟରେ ପ୍ରାପ୍ତ ସମସ୍ତ ଆବେଦନର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଯାଂଚ କରାଯିବ।
ଯେଉଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା ସମାପ୍ତ ହୋଇଛି, ସେଠାରେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟର ଏବଂ ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ ହେଉଥିବା ଯୁବ ଭୋଟରଙ୍କ ପଞ୍ଜୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଭାରତ ନିର୍ବାଚନ ଆୟୋଗ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାରେ ବି.ଏଲ୍.ଓ. ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ସଚେତନତା ଓ ପଞ୍ଜୀକରଣ ଅଭିଯାନ ଆରମ୍ଭ ହୋଇଛି।
ଏସ୍ଆଇଆର୍ ପ୍ରକ୍ରିୟା ସମୟରେ ଅନୁପସ୍ଥିତି, ସ୍ଥାନାନ୍ତରଣ, ମୃତ୍ୟୁ କିମ୍ବା ନକଲି ପରିଚୟପତ୍ର କାରଣରୁ ଯେଉଁ ଭୋଟରଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଛି, ସେମାନଙ୍କ ଘରକୁ ବି.ଏଲ୍.ଓ.ମାନେ ଯାଇ କାଗଜପତ୍ର ଯାଂଚ କରିବେ। ସେହିପରି ପ୍ରଥମଥର ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକୃତ କରିବାକୁ ଥିବା ବଲାଙ୍ଗୀର ଜିଲ୍ଲାର ଯୋଗ୍ୟ ଯୁବତୀ ଓ ଯୁବକଙ୍କ ପାଖରେ ପହଂଚି ନାମ ଯୋଡ଼ିବା ପାଇଁ ଆବଶ୍ୟକୀୟ ଫର୍ମ ପୂରଣ କରାଯିବ। ଯୋଗ୍ୟ ଭୋଟରମାନେ ନିଜର ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ରଖି ବି.ଏଲ୍.ଓ.ମାନଙ୍କୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣ ଅବଗତି ନିମନ୍ତେ ଶନିବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଅନୁରୋଧ କରାଯାଇଛି।
ବଲାଙ୍ଗୀର ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକ ଓ ଯୁବ ଭୋଟର ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ଗଣତନ୍ତ୍ରର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ନିଜର ନାମ ପଞ୍ଜୀକୃତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ