ନୂଆଁଖାଇରେ ଏକତାର ବାର୍ତ୍ତା, ଝାରସୁଗୁଡ଼ାରେ ଜମିଲା ସାଂସ୍କୃତିକ ଆସର
Nuakhai Bhetghat at Jharsuguda
ନୂଆଁଖାଇରେ ଏକତାର ବାର୍ତ୍ତା, ଝାରସୁଗୁଡ଼ାରେ ଜମିଲା


ଝାରସୁଗୁଡ଼ା, ୪ ଅକ୍ଟୋବର (ହି.ସ.): ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରା, ସ୍ନେହ ଓ ସମ୍ପର୍କର ଏକ ଅନନ୍ୟ ପରମ୍ପରା। ଏହି ଭାବଧାରାକୁ ନେଇ ଝାରସୁଗୁଡ଼ା ମନମୋହନ ସ୍କୁଲ ପଡ଼ିଆରେ କଲାକାର-ମଞ୍ଚ ଝାରସୁଗୁଡ଼ା ଏବଂ ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚର ମିଳିତ ଆନୁକୂଲ୍ୟରେ ଭବ୍ୟ ନୂଆଁଖାଇ ଭେଟ୍ଘାଟ ଓ ସାଂସ୍କୃତିକ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।

ଆଜି ଆୟାୋଜିତ ହୋଇଥିବା ଏହି ସାଂସ୍କୃତିକ ସମାରୋହରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ନୂଆଁଖାଇକୁ ଭାବର ପର୍ବ ବୋଲି ବର୍ଣ୍ଣନା କରିଥିଲେ। ଏହି ପର୍ବ ସମ୍ପର୍କର ଭାବଧାରାକୁ ସୁଦୃଢ଼ କରେ ଏବଂ ଅନ୍ୟ ସଂସ୍କୃତିରେ ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳେନାହିଁ ବୋଲି ସେ କହିଥିଲେ।

ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ନୂଆଁଖାଇର ମାହାତ୍ମ୍ୟ ସହ ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାର ପର୍ବ ହୋଇ ରହିନାହିଁ, ଏହାର ମହାନତା ଓ ବିଶେଷତ୍ୱ ପାଇଁ ସାରା ବିଶ୍ୱରେ ପରିଚିତ ହୋଇପାରିଛି ବୋଲି ସେ ମତ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ପୌର ପରିଷଦର ଉପାଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ ଯୋଗଦେଇ ନୂଆଁଖାଇ ସ୍ନେହ, ଆଦର ଓ ଭାଇଚାରାର ପର୍ବ ବୋଲି କହିଥିଲେ।

ମହୋତ୍ସବରେ ହାସ୍ୟ ଅଭିନେତା ଡ. କେଦାରନାଥ ପଟେଲ ଓ ମନ ପଟେଲଙ୍କ ହାସ୍ୟରସାତ୍ମକ ପ୍ରଦର୍ଶନ ବେଶ୍ ଆକର୍ଷଣ ସାଜିଥିଲା। ସେହିପରି ବରଗଡ଼ ବିଡ଼ମାଲର ସମାଜସେବୀ କମଲ ସାହୁ ଏବଂ ବଲାଙ୍ଗୀରର ଦିବ୍ୟାଙ୍ଗ ସମାଜସେବୀ ଦୁଃଶାସନ ଷଡ଼ଙ୍ଗୀଙ୍କ ଉପସ୍ଥିତି ଦର୍ଶକଙ୍କ ମନ ଜିଣିଥିଲା।

ଏହି ଅବସରରେ ବୃନ୍ଦାମାଲ ଦିବ୍ୟାଙ୍ଗ ସ୍କୁଲ ଡାନ୍ସ ଗ୍ରୁପ୍, ସମ୍ବଲପୁରୀ ରେପର, ସୁରଭି କଳା ପରିଷଦର ଘୁଡ଼ୁକା ନାଚ, ହିଟ୍ ବଏଜ୍ ଡାନ୍ସ ଗ୍ରୁପ୍, ସାୱନ ଡାନ୍ସ ଗ୍ରୁପ୍ (ବେଲପାହାଡ଼), ପି.ଡି.ଏସ୍ ଡାନ୍ସ ଗ୍ରୁପ୍ ଓ ନାଟ୍ୟମ ଡାନ୍ସ ଏକାଡେମୀର କଳାକାରମାନେ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରୋଟାରୀ କ୍ଲବ୍ ସିଟି, ଜେସିଆଇ, ଜେସିଆଇ ଆଚିଭର, ଜେସିଆଇ କ୍ୱିନ୍, ରୋଟାରୀ ସିଟି ଗ୍ରୀନ୍, ଇଜେଭି ଫାଉଣ୍ଡେସନ୍, ଏକତା ଜୀବନ କ୍ଲବ୍, ଚେମ୍ବର ଅଫ୍ କମର୍ସ, ସାଇ ମହିଳା ସମିତି, ମାହେଶ୍ୱରୀ ସମାଜ ଓ ପ୍ରୟାସ ଚାରିଟେବୁଲ୍ ଟ୍ରଷ୍ଟ ଆଦି ଅନୁଷ୍ଠାନକୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ତଥା ଯୁବନେତା ବିଶ୍ୱଜିତ ଷଡ଼ଙ୍ଗୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ନୂଆଁଖାଇ ଭେଟ୍ଘାଟ ଓ ସାଂସ୍କୃତିକ ମହୋତ୍ସବ ଝାରସୁଗୁଡ଼ାରେ ଏକତା, ଭାଇଚାରା ଓ ସାଂସ୍କୃତିକ ସମନ୍ୱୟର ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande