
ଘଟଗାଁ, ୬ ଅକ୍ଟୋବର (ହି.ସ.)- ଗାଏବ ହୋଇଗଲା ବନ ବିଭାଗ ଘେରାଉ କରିଥିବା ସୁରକ୍ଷା ବାଡ଼। ତଥାପି ନିରବ ରହିଛି ବିଭାଗ। ଘଟଗାଁ ରେଞ୍ଜ ଢେଂକିକୋଟ ଫରେଷ୍ଟ ବାଲିପୋଖରୀ ବିଟ ଦୁବୁଲା ବେଡା ଠାରୁ ହାତୀନୋଟା ଜଙ୍ଗଲ ପର୍ଯ୍ୟନ୍ତ ଚାରି ବର୍ଷ ପୂର୍ବରୁ ବନ ବିଭାଗ ପକ୍ଷରୁ ଚାରା ରୋପଣ କରି ଗାଈ ଗୋରୁଙ୍କ ଠାରୁ ଚାରା ଗୁଡିକକୁ ସୁରକ୍ଷିତ ରଖିବା ଲାଗି ହଜାର ସିମେଣ୍ଟ ଖୁଣ୍ଟି ଓ ତାର ଜାଲ ଲଗାଇ ଘେରାଉ ହୋଇଥିଲା ସୁରକ୍ଷା ବାଡ଼। ସମୟ କ୍ରମେ ବିଭାଗର ଜାଣତରେ ହେଉ କି ଅଜାଣତରେ ହେଉ ଧିରେ ଧିରେ ସିମେଣ୍ଟ ଖୁଣ୍ଟି ଓ ତାର ଜାଲି ଗୁଡିକ ଗାଏବ ହେବାରେ ଲାଗିଥିଲା ତାହା ଏବେ ସମ୍ପୂର୍ଣ ଗାଏବ ହୋଇଯାଇଛି। ଏବେ ଗ୍ରାମବାସୀଙ୍କ ଅଭିଯୋଗ ସୁରକ୍ଷା ବାଡ଼ ଗାଏବ ହୋଇଯିବା କାରଣରୁ ଗାଈ ଗୋରୁ ରୋପଣ ଚାରା ଗୁଡିକ ନଷ୍ଟ କରିବା ସହ ରକ୍ଷଣ ବେକ୍ଷଣ ଅଭାବରୁ କିଛି ଚାରା ନଷ୍ଟ ହୋଇଯାଇଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ବନ ବିଭାଗ ପକ୍ଷରୁ ଘେରାଉ କରାଯାଇଥିବା ସୁରକ୍ଷା ବାଡ଼ ଗାଁର କିଛି ଲୋକ ଆଣି ନିଜ ଘର ବାଡ଼ିରେ ଘେରାଉ କରିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ବନ ବିଭାଗ ପକ୍ଷରୁ ଦୁଇ -ଦୁଇ ଜଣ ଜଗୁଆଳି ନିୟୋଜିତ କରାଯାଇଥିଲେ ସୁଦ୍ଧା ସିମେଣ୍ଟ ଖୁଣ୍ଟି, ତାର ଜାଲି ଓ ଗ୍ରିଲ ଗାଏବ ହେଲା କେମିତି। ଅନ୍ୟପକ୍ଷରେ ବନ ବିଭାଗ ଦିନରାତି ଜଙ୍ଗଲକୁ ନଜର ଦେଉଥିବା ବେଳେ ସୁରକ୍ଷା ବାଡ଼ ଚୋରି ହୋଇଗଲା ତଥାପି ବନ ବିଭାଗ ନିରବ କାହଁକି। ଘଟଣାର ତଦନ୍ତ କରି ଚୋରି ହୋଇଥିବା ସିମେଣ୍ଟ ଖୁଣ୍ଟି ଓ ତାର ଜାଲି ଗୁଡିକକୁ ଜବତ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ