ଆଜିଠୁ ଗହୀରମଥାରେ ମାଛଧରା ନିଷେଧ
ପଟ୍ଟାମୁଣ୍ଡାଇ , 01 ନଭେମ୍ବର (ହି.ସ.)ଅଲିଭ୍ ରିଡ୍ଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଜାରି ହୋଇଛି । ଚଳିତବର୍ଷ ନଭେମ୍ବର ପହିଲାରୁ ୨୦୨୭ ମେ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଇଁଛଙ୍କ ସୁରକ୍ଷା
Machadhara katakana


ପଟ୍ଟାମୁଣ୍ଡାଇ , 01 ନଭେମ୍ବର (ହି.ସ.)ଅଲିଭ୍ ରିଡ୍ଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଜାରି ହୋଇଛି । ଚଳିତବର୍ଷ ନଭେମ୍ବର ପହିଲାରୁ ୨୦୨୭ ମେ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଇଁଛଙ୍କ ସୁରକ୍ଷା ଲାଗି ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଏବଂ ଉପକୂଳରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ୧୪୩୭ ବର୍ଗ କିଲୋମିଟର ଅଞ୍ଚଳରେ ମାଛଧରା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି। ଅଲିଭ୍ ରିଡ୍ଲେ କଇଁଛ ଶ୍ରୀଲଙ୍କା, ପ୍ରଶାନ୍ତ ମହାସାଗର ଓ କୋଷ୍ଟାରିକା ଅଞ୍ଚଳରୁ ହଜାର ହଜାର ନଟିକାଲ ମାଇଲ୍ ସାମୁଦ୍ରିକ ପଥ ଅତିକ୍ରମ କରି ବଂଶବିସ୍ତାର ପାଇଁ ଗହୀରମଥା ଉପକୂଳକୁ ଆସିଥାନ୍ତି । ନାଶୀ, ଅଗରନାଶୀ, ଏକକୂଳା, ଚାବୁବାଲି, ଚିଞ୍ଚିରି ମୁହାଣ ଓ ସାତଭାୟା ଆଦି ସ୍ଥାନରେ ଏମାନେ ଅଣ୍ଡାଦାନ କରିଥାନ୍ତି । କଇଁଛଙ୍କ ଆଗମନ ଫଳରେ ସାମୁଦ୍ରିକ ପରିବେଶରେ ଜୈବିକ ସନ୍ତୁଳନ ରକ୍ଷା ହେବା ସହ ମତ୍ସ୍ୟ ସମ୍ପଦର ବୃଦ୍ଧିରେ ମଧ୍ୟ ସହାୟତା ମିଳିଥାଏ। ସମୁଦ୍ରରେ ମାଛ ଯାଆଁଳକୁ ଜେଲିଫିସ୍ ଖାଇ ଦେଉଥିବା ବେଳେ ଅଲିଭ୍ ରିଡ୍ଲେ କଇଁଛ ଜେଲିଫିସ୍ ଖାଇ ମାଛ ବଂଶବୃଦ୍ଧିରେ ସହାୟକ ହୋଇଥାନ୍ତି । କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ, କୋଷ୍ଟଗାର୍ଡ, ମେରାଇନ୍ ପୁଲିସ୍ ଓ ମତ୍ସ୍ୟ ବିଭାଗକୁ ମିଳିତ ପାଟ୍ରୋଲିଂ ଦାୟିତ୍ବ ଦିଆଯାଇଛି । ତେବେ ବନ ବିଭାଗକୁ ବାଦ୍ ଦେଲେ ଅନ୍ୟ ବିଭାଗଗୁଡ଼ିକର ପାଟ୍ରୋଲିଂ କେବଳ କାଗଜକଲମରେ ସୀମିତ ରହୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଚଳିତବର୍ଷ ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ପାଇଁ ମାଦଳି ମୁହାଣ ଓ ବାବୁବାଲିଠାରେ ଦୁଇଟି କ୍ୟାମ୍ପ ପ୍ରସ୍ତୁତ କରାଯାଉଛି । ପାଟ୍ରୋଲିଂ ପାଇଁ ବନ ବିଭାଗ ପକ୍ଷରୁ ‘ଅଲିଭିଆ' ବୋଟ୍ ପ୍ରସ୍ତୁତ ରଖାଯାଇଛି। ଧାମରା ପୋର୍ଟ ପକ୍ଷରୁ ଗୋଟିଏ ଦିଆଯିବା ସହ ଆଉ ଗୋଟିଏ ବୋଟ୍ ବନ ବିଭାଗ ଭଡ଼ାରେ ଆଣିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ବନ ବିଭାଗର ଦୁଇଟି ହାଇସ୍ପିଡ୍ ବୋଟ୍ ଏବେ ଅଚଳ ଥିବାରୁ ଏଭଳି ବିକଳ୍ପ ବ୍ୟବସ୍ଥା କରାଯାଇଛି । ସୂଚନା ଯୋଗ୍ୟ, ୧୯୯୭ ମସିହାରେ । ଗହୀଉଁମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। । ଏହା ରାଜନଗର ବନଖଣ୍ଡ ଅଧୀନରେ ରହିଥିବା ବେଳେ ଜଣେ ରେଞ୍ଜ ଅଫିସର ଏହାର ଦାୟିତ୍ବରେ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande