ସ୍ୱାଭାବିକ ହେବାରେ ଲାଗିଛି ବ୍ରହ୍ମପୁର
ଆସିକାର ବନ୍ୟା ବିପନ୍ନଙ୍କ ପାଇଁ ବ୍ରହ୍ମପୁରରୁ ସହାୟତାର ହାତ ରବିବାର ଛୁଟି ବାତିଲ, ପୁନରୁଦ୍ଧାରକୁ ପ୍ରାଥମିକତା ଗଂଜାମ, 01 ନଭେମ୍ବର (ହି.ସ.) ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ବ୍ରହ୍ମପୁର ସହରର ଜୀବନଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଆସିକାର ବନ୍ୟାବିପ
Wrtyioo


ଆସିକାର ବନ୍ୟା ବିପନ୍ନଙ୍କ ପାଇଁ ବ୍ରହ୍ମପୁରରୁ ସହାୟତାର ହାତ

ରବିବାର ଛୁଟି ବାତିଲ, ପୁନରୁଦ୍ଧାରକୁ ପ୍ରାଥମିକତା

ଗଂଜାମ, 01 ନଭେମ୍ବର (ହି.ସ.)

ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ବ୍ରହ୍ମପୁର ସହରର ଜୀବନଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଆସିକାର ବନ୍ୟାବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଛି। ନିଗମ ପକ୍ଷରୁ କୋଡିଏ ହଜାର ମହମବତୀ ଓ ଦିଆସିଲି ଆସିକାକୁ ପଠାଯାଇଛି। ସେହିପରି ଆସିକାରେ ବନ୍ୟା ପରବର୍ତ୍ତୀ ଆବର୍ଜନା ସଫେଇ ପାଇଁ ନିଗମର ଦେଢଶହ ଜଣ ସଫେଇ କର୍ମଚାରୀଙ୍କୁ ସେଠାକୁ ପଠାଯାଇଛି।

ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସହରରେ ଶନିବାର ଦିନ ମଧ୍ୟ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଗଛକାଟିବା କାର୍ଯ୍ୟ ଜାରି ରହିଥିଲା। ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ରହୁଥିବା ଅନେକ ଲୋକ ଘରକୁ ଫେରିସାରିଥିବା ବେଳେ ୬୮0 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ ୧୭୦ଜଣଙ୍କ ପାଇଁ ରାତ୍ରିଭୋଜନର ବ୍ୟବସ୍ଥା କରାଯାଇଥିଲା। ଡେପୁଟି କମିଶନର ଏବଂ ସହକାରୀ କମିଶନରମାନେ ବିଭିନ୍ନ ଆଶ୍ରୟସ୍ଥଳୀକୁ ଯାଇ ଖାଦ୍ୟପେୟ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଯାଞ୍ଚ କରିବା ସହ ନିଜେ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ସେହିପରି ସନ୍ତସନ୍ତିଆ ଓ ସହରତଳି ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି।

ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତ ଜାନିବିଲି ପାନୀୟ ଜଳ ପ୍ରକଳ୍ପରୁ ବ୍ରହ୍ମପୁର ସହରକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ କଣ୍ଟ୍ରୋଲ ରୁମକୁ ପାନୀୟ ଜଳ ସମ୍ପର୍କିତ ଅଭିଯୋଗ ଆସିବାରେ ଲାଗିଛି। ତେବେ ୱାଟକୋ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଟ୍ୟାଙ୍କର ଯୋଗେ ଗାନ୍ଧୀ ନଗର, ଧାନମେରା ସାହି, ଖାଜା ସାହି ଆଦି ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ଜନସାଧାରଣଙ୍କ ସୁବିଧା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କମିଶନର ଆଶ୍ୱାସନା ଦେଇଛନ୍ତି।

ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ କାର୍ଯ୍ୟାଳୟର ବକେୟା କାମକୁ ପ୍ରାଥମିକତା ଦେଇ ସାରିବା ଉଦ୍ଦେଶ୍ୟରେ ନଭେମ୍ବର ପହିଲା ରବିବାର ଦିନ ମଧ୍ୟ ମହାନଗର କାର୍ଯ୍ୟାଳୟ ଖୋଲା ରହିବ ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବାକୁ କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି। ନାଳ ସଫେଇ କାମ ବ୍ୟାପକ କରିବା ସହ କ୍ଷୟକ୍ଷତିର ସଠିକ ଆକଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande