
ଭୁବନେଶ୍ୱର, 1 ନଭେମ୍ବର (ହି.ସ) ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ
ସ୍ୱରୂପ ଓଡ଼ିଶା
ଭିଜିଲାନ୍ସ ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ
ରାଜସ୍ୱ ସହାୟକ (ଏସ୍ଆର୍ଏ)
ସଦାଶିବ ପ୍ରଧାନଙ୍କୁ ଗିରଫ କରିଛି। ବର୍ତ୍ତମାନ ସେ ସୁରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ
ଥିଲେ। ସରକାରୀ ପାଣ୍ଠିରୁ ୮,୬୩,୨୦୦ ଟଙ୍କା ଆତ୍ମସାତ୍ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି।
ଆର୍ଥିକ ଅନିୟମିତତା
ସମ୍ପର୍କିତ ଅଭିଯୋଗ ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ବିଭାଗରେ ଡିସେମ୍ବର
୨୦୨୩ରୁ ଅଗଷ୍ଟ ୨୦୨୫ ମଧ୍ୟରେ ସଂଗୃହୀତ ସରକାରୀ ଅର୍ଥ ଜମା ନହେବା ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ
ବିସ୍ତୃତ ତଦନ୍ତ ଓ ଯାଞ୍ଚ କରାଯାଇଥିଲା। ଶ୍ରୀ ପ୍ରଧାନ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ନିଜାରତ
ବିଭାଗର ଦାୟିତ୍ୱରେ ଥିଲେ। ଏହି
ବିଭାଗରେ ସରକାରୀ ଅର୍ଥ ଓ ରେଡ୍କ୍ରସ୍ ପାଣ୍ଠିର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ଥିଲା।
ଓଡ଼ିଶା ଭିଜିଲାନ୍ସର
ବିସ୍ତୃତ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ସମୟ ମଧ୍ୟରେ ସେ ସରକାରୀ ରସିଦ ବହି ବ୍ୟବହାର କରି ରେଡ୍କ୍ରସ୍ ପାଣ୍ଠି ଉଦ୍ଦେଶ୍ୟରେ
୮,୬୩,୨୦୦ ଟଙ୍କା ସଂଗ୍ରହ କରିଥିଲେ। କିନ୍ତୁ ସଂଗୃହୀତ ଅର୍ଥକୁ ଛତ୍ରପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍
ଇଣ୍ଡିଆ (ଏସ୍ବିଆଇ) ଶାଖାର ନିର୍ଦ୍ଧାରିତ ବ୍ୟାଙ୍କ ଖାତାରେ ଜମା ନକରି ସେ ସମସ୍ତ ଅର୍ଥକୁ
ବ୍ୟକ୍ତିଗତ ସ୍ୱାର୍ଥରେ ଆତ୍ମସାତ୍ କରିଥିବା ତଦନ୍ତରୁ ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଶ୍ରୀ
ପ୍ରଧାନଙ୍କୁ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ।
ଏହି ଘଟଣାରେ ଅଭିଯୁକ୍ତ ଶ୍ରୀ
ପ୍ରଧାନଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩୧.୧୦.୨୦୨୬ ତାରିଖରେ କେସ୍ ନଂ-୧୩ ରୁଜୁ
ହୋଇଛି। ଏଥିରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(କ) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍),
୨୦୨୩ର ଧାରା ୩୧୬(୫) ଅନୁଯାୟୀ ମାମଲା ରୁଜୁ
କରାଯାଇଛି।ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା