
କେଦାରନାଥଧାମ (ଉତ୍ତରାଖଣ୍ଡ), ୧୧ ନଭେମ୍ବର (ହି.ସ.)। ହିମାଳୟର କୋଳରେ ଅବସ୍ଥିତ ବାବା କେଦାରନାଥଙ୍କ ପବିତ୍ର ଧାମର କବାଟ ଆଜି ସକାଳ ୮ଟା ୩୦ ମିନିଟ୍ରେ ପାରମ୍ପରିକ ରୀତିନୀତି ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଶୀତକାଳ ପାଇଁ ବନ୍ଦ କରାଯାଇଛି। ଏବେ ବାବା କେଦାରଙ୍କ ଉତ୍ସବ ଡୋଲି (ଚଳ ବିଗ୍ରହ ଉତ୍ସବ ଡୋଲି) ଉଖୀମଠସ୍ଥିତ ଓଁକାରେଶ୍ୱର ମନ୍ଦିରକୁ ଯାତ୍ରା କରିବ। ଶୀତ ଋତୁରେ ଓଁକାରେଶ୍ୱର ମନ୍ଦିର ହିଁ ଭଗବାନଙ୍କ ଶୀତକାଳୀନ ବାସସ୍ଥଳୀ ହୋଇଥାଏ।
ଭାଇ ଦୂଜ ଦିନ ମନ୍ଦିରର କବାଟ ବନ୍ଦ ହେବାର ଏହି ପବିତ୍ର ଅବସର ପଡ଼ିଛି। ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବା ପୂର୍ବରୁ ଦେଶ-ବିଦେଶରୁ ଆସିଥିବା ଶ୍ରଦ୍ଧାଳୁମାନେ ଭଗବାନ ଶିବଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ଏଠାରେ ଏକାଠି ହୋଇଥିଲେ। କେଦାରନାଥ ଧାମର ମୁଖ୍ୟ ପୁରୋହିତ ଗଙ୍ଗାଧର ଲିଙ୍ଗ ମହାରାଜ କହିଛନ୍ତି ଯେ, ନିର୍ଦ୍ଧାରିତ ଧାର୍ମିକ ରୀତିନୀତି ଅନୁଯାୟୀ ମନ୍ଦିରର କବାଟ ବନ୍ଦ କରିବା ପ୍ରକ୍ରିୟା ସମ୍ପନ୍ନ ହୋଇଛି।
ସେ କହିଛନ୍ତି, “ଆଜି ଭାଇ ଦୂଜ। ସକାଳେ ଭଗବାନଙ୍କ ମହାଭିଷେକ କରାଯିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ସକାଳ ୮ଟା ୩୦ ମିନିଟ୍ରେ ମନ୍ଦିରର ମୁଖ୍ୟ କବାଟ ବନ୍ଦ କରାଯାଇଥିଲା।” ଏବେ ବାବା କେଦାରଙ୍କ ଉତ୍ସବ ଡୋଲିକୁ ଉଖୀମଠର ଓଁକାରେଶ୍ୱର ମନ୍ଦିରକୁ ନିଆଯିବ। ସେଠାରେ ଶୀତକାଳୀନ ମାସଗୁଡ଼ିକରେ ଭଗବାନଙ୍କ ପୂଜାର୍ଚ୍ଚନା କରାଯିବ।
ରୁଦ୍ରପ୍ରୟାଗର ପୁଲିସ ଅଧୀକ୍ଷକ ନିହାରିକା ତୋମର କହିଛନ୍ତି ଯେ, ମନ୍ଦିରର କବାଟ ବନ୍ଦ ଉତ୍ସବ ଏବଂ ଏହାପରେ ଉତ୍ସବ ଡୋଲିର ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତୋମର କହିଛନ୍ତି ଯେ, ଦେବତାଙ୍କ ଆସନ (ଗଦ୍ଦୀ)କୁ ଏଠାରୁ ଉଖୀମଠସ୍ଥିତ ଶୀତକାଳୀନ ଗଦ୍ଦୀକୁ ନିଆଯିବ। ଏଥିପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଡୋଲି ପାଇଁ 'ଗାର୍ଡ ଅଫ୍ ଅନର' ଏବଂ ମୋବାଇଲ୍ ଗାର୍ଡ ମୁତୟନ କରାଯାଇଛି।
ସେ ଆହୁରି କହିଛନ୍ତି ଯେ, ଡୋଲି ଯାତ୍ରା ମାର୍ଗରେ ଥିବା ପ୍ରମୁଖ ପଡ଼ାଉଗୁଡ଼ିକରେ ମଧ୍ୟ ସୁରକ୍ଷାକର୍ମୀ ମୁତୟନ କରାଯାଇଛନ୍ତି। ଆସନ୍ତା ବର୍ଷ ମନ୍ଦିର ପୁନର୍ବାର ଖୋଲିବା ପର୍ଯ୍ୟନ୍ତ ଜିଲ୍ଲା ପୁଲିସ ବଳ କେଦାରନାଥରେ ମୁତୟନ ରହିବ। ଏହା ସହିତ ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ଏକ ଦଳ ମଧ୍ୟ ସେଠାରେ ମୁତୟନ ରହିବ। ଉଖୀମଠରେ ଶୀତକାଳୀନ ତୀର୍ଥଯାତ୍ରା ସମୟରେ ସୁରକ୍ଷା, ଯାତାୟାତ ଓ ରାସ୍ତା ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ତୋମର କହିଛନ୍ତି। ଏଥିସହ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଓଁକାରେଶ୍ୱର ମନ୍ଦିର ଯିବାକୁ ସେ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା