
ଉଜ୍ଜୟିନୀ, ୧୧ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ବୁଧବାର ଭୋର ସମୟରେ ଭଗବାନ ମହାକାଳଙ୍କ ଭସ୍ମ ଆରତି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଦିବ୍ୟ ଶୃଙ୍ଗାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବାବା ମହାକାଳଙ୍କୁ ରାଜାଧିରାଜ ସ୍ୱରୂପରେ ଆକର୍ଷଣୀୟ ଶୃଙ୍ଗାର କରାଯାଇଥିଲା। ଭଗବାନ ଶେଷନାଗଙ୍କ ରୂପା ମୁକୁଟ, ରୂପାର ମୁଣ୍ଡମାଳ ଏବଂ ରୁଦ୍ରାକ୍ଷ ମାଳା ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଭସ୍ମ ଆରତିରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ବାବା ମହାକାଳଙ୍କ ଆଶୀର୍ବାଦ ଲାଭ କରିଥିଲେ।
ପରମ୍ପରା ଅନୁଯାୟୀ, ବୁଧବାର ଭୋର ୪ଟାରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା। ସର୍ବପ୍ରଥମେ ବୀରଭଦ୍ରଜୀଙ୍କୁ ପ୍ରଣାମ କରି ସ୍ୱସ୍ତିବାଚନ କରାଯାଇଥିଲା। ଏହାପରେ ତାଙ୍କ ଆଜ୍ଞା ନେଇ ରୂପାର ଦ୍ୱାର ଖୋଲାଯାଇଥିଲା। ଗର୍ଭଗୃହରେ ପୂଜକମାନେ ପ୍ରତିଷ୍ଠିତ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିବା ସହ ଭଗବାନ ମହାକାଳଙ୍କ ଜଳାଭିଷେକ କରିଥିଲେ।
ଏହାପରେ କ୍ଷୀର, ଦହି, ଘିଅ, ଚିନି, ମହୁ ଏବଂ ଫଳରସରେ ପ୍ରସ୍ତୁତ ପଞ୍ଚାମୃତରେ ଅଭିଷେକ ଓ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପୂଜା ପରେ ପ୍ରଥମ ଘଣ୍ଟାଳ ବଜାଇ ଭଗବାନଙ୍କୁ ହରିଓମ୍ ଜଳ ଅର୍ପଣ କରାଯାଇଥିଲା। ମନ୍ତ୍ରୋଚ୍ଚାରଣ ଓ ଧ୍ୟାନ ସହ କର୍ପୂର ଆରତି କରାଯାଇଥିଲା। ଏହାପରେ ଜ୍ୟୋତିର୍ଲିଙ୍ଗଙ୍କୁ ବସ୍ତ୍ରରେ ଆବୃତ କରି ବିଧିବିଧାନ ଅନୁଯାୟୀ ଭସ୍ମ ଅର୍ପଣ କରାଯାଇଥିଲା। ମହା ନିର୍ବାଣୀ ଆଖଡ଼ା ପକ୍ଷରୁ ଭଗବାନ ମହାକାଳଙ୍କୁ ଭସ୍ମ ଅର୍ପଣ କରାଯାଇଥିଲା। ଧାର୍ମିକ ମାନ୍ୟତା ଅନୁଯାୟୀ, ଭସ୍ମ ଅର୍ପଣ ପରେ ଭଗବାନ ନିରାକାରରୁ ସାକାର ସ୍ୱରୂପ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା