
ୱାଶିଂଟନ (ଆମେରିକା), ୧୧ ନଭେମ୍ବର (ହି.ସ.)। ଆମେରିକାର ସଂସଦର ନିମ୍ନ ସଦନ ପ୍ରତିନିଧି ସଭା (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ)ରେ ମଙ୍ଗଳବାର ଗ୍ରାଣ୍ଡ ଓଲ୍ଡ ପାର୍ଟି (ରିପବ୍ଲିକାନ୍)ର ସାଂସଦ ଥୋମାସ୍ ମାସିଙ୍କ ପକ୍ଷରୁ ପ୍ରତିରକ୍ଷା ସଚିବ (ପରିବର୍ତ୍ତିତ ପଦବୀ ଯୁଦ୍ଧ ସଚିବ) ପିଟ୍ ହେଗସେଥ୍ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଯାଇଛି। ମୁଖ୍ୟତଃ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବକୁ ନ୍ୟାୟିକ କମିଟି ନିକଟକୁ ପଠାଇବା ସପକ୍ଷରେ ହାଉସ୍ରେ ୨୧୧ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୦୪ଟି ଭୋଟ୍ ପଡ଼ିଥିଲା। ଏହା ସହିତ ପ୍ରସ୍ତାବଟି ନିଜର ପ୍ରଭାବ ହରାଇଥିଲା।
ସିବିଏସ୍ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ସମସ୍ତ ଡେମୋକ୍ରାଟ୍ ସାଂସଦଙ୍କ ସହ ମିଶି ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିବା ଥୋମାସ୍ ମାସି ଏକମାତ୍ର ରିପବ୍ଲିକାନ୍ ସାଂସଦ ଥିଲେ। ମତଦାନ ପରେ ମାସି କହିଥିଲେ, “ମୁଁ ଆଶ୍ଚର୍ଯ୍ୟ ହୋଇନାହିଁ, କିନ୍ତୁ ନିଶ୍ଚିତ ଭାବେ ନିରାଶ ହୋଇଛି। କଂଗ୍ରେସ ସମ୍ପର୍କରେ ମୋର ମତ ହେଉଛି, ଏହି ଲୋକମାନେ ଜାଣନ୍ତି ଯେ ସେମାନଙ୍କୁ କ’ଣ କରିବା ଉଚିତ। କିନ୍ତୁ ତାହା କରିବା ପାଇଁ ସେମାନେ ସାହସ ଜୁଟାଇ ପାରୁନାହାନ୍ତି, ଯଦିଓ ଏପରି କରିବା ଦ୍ୱାରା ସେମାନଙ୍କୁ ରାଜନୈତିକ ଫାଇଦା ମିଳିପାରନ୍ତା।”
କେଣ୍ଟୁକିର ରିପବ୍ଲିକାନ୍ ସାଂସଦ ମାସି ସୋମବାର କହିଥିଲେ ଯେ, ସେ ହେଗସେଥ୍ଙ୍କ ବିରୋଧରେ ଆଉ କୌଣସି ମହାଭିଯୋଗ ପ୍ରସ୍ତାବ ଆଗତ କରିବେ ନାହିଁ। ଚଳିତ ବର୍ଷ ପ୍ରାଥମିକ ନିର୍ବାଚନରେ ପରାଜିତ ହେବା ପରେ ସେ ଜାନୁଆରୀ ଆରମ୍ଭରେ ଅବସର ନେବାକୁ ଯାଉଛନ୍ତି। ତେବେ ଡେମୋକ୍ରାଟ୍ମାନେ ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇପାରନ୍ତି। ବିଶେଷକରି ଜାନୁଆରୀରେ ଉଭୟ ସଦନ (ହାଉସ୍ ଏବଂ ସିନେଟ୍) ଉପରେ ସେମାନଙ୍କ ନିୟନ୍ତ୍ରଣ ପୁନର୍ବାର ଫେରିବା ପରେ ଏହା ସମ୍ଭବ ହୋଇପାରେ। ହାଉସ୍ରେ ବିରୋଧୀ ଦଳର ନେତା ତଥା ନ୍ୟୁୟର୍କର ଡେମୋକ୍ରାଟ୍ ସାଂସଦ ହାକିମ୍ ଜେଫ୍ରିସ୍ କହିଛନ୍ତି, “ଏହା ଶେଷ ନୁହେଁ। ଏହା ତ କେବଳ ଆରମ୍ଭ।”
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା