
- ଟ୍ରାଭେର୍ଲରେ ୩୫ ଜଣ ଯାତ୍ରୀ ଥିଲେ, ଅଧିକାଂଶ ଛାତ୍ର ଥିବା ସୂଚନା
- ଅନେକ ଯାତ୍ରୀ ଗାଡ଼ି ଭିତରେ ଫସି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି
ଗୋଲାଘାଟ (ଆସାମ), ୧୩ ନଭେମ୍ବର (ହି.ସ.)- ଆସାମର କାଜିରଙ୍ଗାରେ ଶୁକ୍ରବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରଙ୍ଗାଜାନ ନିକଟରେ ଏକ ଯାତ୍ରୀବାହୀ ଟ୍ରାଭେଲରଏବଂ କଂଟେନର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରାଭେଲର ଭିତରେ ଅନେକ ଯାତ୍ରୀ ଫସି ରହିଥିବା ଆଶଙ୍କା କରାଯାଉଛି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଟ୍ରାଭେଲର (ଏଏସ୍-୦୨ଏସି-୬୬୯୦) ବୋକାଖାତରୁ ନଗାଁ ଅଭିମୁଖେ ଯାଉଥିଲା। ଏହି ସମୟରେ ଏହାର କଂଟେନର ଟ୍ରକ୍ (କେଏ-୦୧ଏଟି-୦୯୭୭) ସହ ଧକ୍କା ହୋଇଥିଲା। ଟ୍ରାଭେଲରରେ ମୋଟ ୩୫ ଜଣ ଯାତ୍ରୀ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିବା ଜଣାପଡ଼ିଛି।
ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରାଭେର୍ଲଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ି ଭିତରେ ଅନେକ ଯାତ୍ରୀ ଫସି ରହିଥିବା ଆଶଙ୍କା କରି ସ୍ଥାନୀୟ ଲୋକ ଏବଂ ପୁଲିସ କର୍ମଚାରୀ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ କୋହୋରା ମଡେଲ ହସ୍ପିଟାଲରେ ଭର୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ତେବେ ମୃତକ ଓ ଆହତଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ ଆଧିକାରିକ ପୁଷ୍ଟି କରାଯାଇନାହିଁ।
ପୁଲିସ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।
----------------
ହିନ୍ଦୁସ୍ଥାନ ସମାଚାର / ଗଗନ